କାଳବୈଶାଖୀ କ୍ଷୟକ୍ଷତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ତାଙ୍କ ଗାଡ଼ି ଉପରେ ପଥରମାଡ଼
ବାରିପଦା (ସଂକେତ ଟିଭି): ମୟୁରଭଞ୍ଜ ଜିଲ୍ଲାରେ କାଳବୈଶାଖୀର ତାଣ୍ଡବରେ ଅନେକ ଘର ଭାଙ୍ଗିଯାଇଛି ଏବଂ ଫସଲ ଉଜୁଡ଼ି ଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରବିବାର ସକାଳେ ବାଙ୍ଗିରିପୋଷି ଓ ବିଶୋଇ ବ୍ଲକ୍ର କ୍ଷତିଗ୍ରସ୍ତ ଗାଁଗୁଡ଼ିକୁ ବୁଲି ପରିସ୍ଥିତି ପରୀକ୍ଷା କରିଛନ୍ତି। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ ମୟୁରଭଞ୍ଜର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ମନ୍ତ୍ରୀ ପୂଜାରୀ ବାଙ୍ଗିରିପୋଷି ମିନି ଷ୍ଟାଡିୟମର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ବ୍ଲକ୍ର ବିଭିନ୍ନ ଗାଁ ବୁଲି ଦେଖିଛନ୍ତି। ତେବେ ମନ୍ତ୍ରୀ କ୍ଷୟକ୍ଷତିର ପରିମାଣ ଓ ପରିସ୍ଥିତିକୁ ହୃଦୟଙ୍ଗମ କରି କହିଛନ୍ତି ଯେ, ତୁରନ୍ତ ସମସ୍ତ କ୍ଷତିଗ୍ରସ୍ତ ଘର ମରାମତି କରାଯିବ ଏବଂ ଆବଶ୍ୟକ ସ୍ଥଳେ ନୂଆ ଘର ଦିଆଯିବ। ଚାଷ ସମ୍ବନ୍ଧୀୟ କ୍ଷୟକ୍ଷତିର ପ୍ରାଥମିକ ଆକଳନ ହୋଇ ସାରିଥିବା ବେଳେ ସମ୍ପୂର୍ଣ୍ଣ ତଥ୍ୟ ରବିବାର ସନ୍ଧ୍ୟା ସୁଦ୍ଧା ସରକାରଙ୍କୁ ଦିଆଯିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମସ୍ତ କ୍ଷତିଗ୍ରସ୍ତଙ୍କୁ ତାଙ୍କ ଆକାଉଣ୍ଟରେ କ୍ଷତିପୂରଣ ଟଙ୍କା ଦିଆଯିବ।
କାଳବୈଶାଖୀର କ୍ଷତି ରିପୋର୍ଟ ମିଳିବା ପରେ ଲୋକଙ୍କୁ ସମ୍ପୂର୍ଣ୍ଣ କ୍ଷୟକ୍ଷତି ଟଙ୍କା ମିଳିବ। ଯେଉଁମାନଙ୍କର ଆଧାର ଲିଙ୍କ ନାହିଁ, ସେମାନଙ୍କୁ ସିଧାସଳଖ ଟଙ୍କା ମିଳିବ। ରବିବାର ଅନଲାଇନ୍ରେ ଟଙ୍କା ମିଳିବ ବୋଲି ସେ କହିଛନ୍ତି।
ଏହି ସମୟରେ କ୍ଷୟକ୍ଷତି ଆକଳନ ପାଇଁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ଲୋକେ ପ୍ରବଳ ବିରୋଧ କରିଛନ୍ତି। ଲୋକେ ପଚାରିଛନ୍ତି ଯେ, କାହିଁକି ମନ୍ତ୍ରୀ ସେମାନଙ୍କ ଅଞ୍ଚଳକୁ ଆସିଲେ ନାହିଁ। ଏହି ରୋଷରେ ଲୋକେ ମନ୍ତ୍ରୀଙ୍କ ଗାଡ଼ି ଉପରେ ପଥର ମାଡ଼ କରିଛନ୍ତି, ଯାହାଦ୍ୱାରା କାର୍ କାଚ ଭାଙ୍ଗି ଚୂରମାର ହୋଇଯାଇଛି। ଏହି ଘଟଣାରେ ଜଣେ କନଷ୍ଟେବଳଙ୍କ ମୁଣ୍ଡ ଫାଟିଥିବା ଜଣାଯାଇଛି। ବାଙ୍ଗିରିପୋଷି ଷ୍ଟେସନ ଛକରେ ଲୋକେ ଏହି ବିରୋଧ ପ୍ରଦର୍ଶନ କରିଛନ୍ତି।
ମୟୁରଭଞ୍ଜ ଜିଲ୍ଲାର ୧୭ଟି ପଞ୍ଚାୟତର ଶତାଧିକ ଗାଁ କାଳବୈଶାଖୀରେ ପ୍ରଭାବିତ ହୋଇଛି। ଅନେକ ଘରର ଚାଳ ଛପର ଉଡ଼ିଯାଇଛି ଏବଂ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ସରବରାହ ବ୍ୟାଘାତ ଘଟିଛି।