୨୭ରୁ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ଆୟୁଷ ଡାକ୍ତର
ଭୁବନେଶ୍ବର (ସଂକେତ ଟିଭି): ଆୟୁଷ ଡାକ୍ତରମାନେ ଆସନ୍ତା ୨୭ ତାରିଖରୁ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ। ସ୍ଥାୟୀ ନିଯୁକ୍ତି, ସରକାରୀ ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସକଙ୍କ ସହିତ ସମାନ ବେତନ, ଚାକିରି ସହିତ ଉଚ୍ଚ ଶିକ୍ଷା ପାଇଁ ବ୍ୟବସ୍ଥା, ଡାକ୍ତରଖାନାକୁ ନିୟମିତ ଔଷଧ ଯୋଗାଣ, ନିର୍ଭରଶୀଳ ପରିବାରଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ବିମାରେ ଅନ୍ତର୍ଭୁକ୍ତ କରିବା ଏବଂ ଚାକିରି ସମୟରେ ମୃତ୍ୟୁବରଣ କରୁଥିବା ଡାକ୍ତରଙ୍କ ପରିବାରକୁ ୪୦ ଲକ୍ଷ ଟଙ୍କାର ଏକକାଳୀନ ସହାୟତା ଦାବିରେ ଅଲ୍ ଓଡ଼ିଶା ଆୟୁଷ ଡାକ୍ତର ସଂଘ ଏହି ଆନ୍ଦୋଳନ ଆରମ୍ଭ କରିବ।
ଆୟୁଷ ଡାକ୍ତରମାନେ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ୧୮ ବର୍ଷ ଧରି ଚୁକ୍ତିଭିତ୍ତିକ ଭାବେ ରାଜ୍ୟରେ ଜରୁରୀକାଳୀନ ସେବା, ମାତୃ ଏବଂ ଶିଶୁ ସ୍ବାସ୍ଥ୍ୟସେବା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତଥାପି, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୧,୪୮୫ ଜଣ ଆୟୁଷ ଡାକ୍ତରଙ୍କୁ ନିୟମିତକରଣରୁ ବଞ୍ଚିତ କରାଯାଉଛି।
ଅଲ୍ ଓଡ଼ିଶା ଆୟୁଷ ଡାକ୍ତର ସଂଘର ସଭାପତି ଡା. ପ୍ରଶାନ୍ତ କୁମାର ପାଢୀ କହିଛନ୍ତି, “ପ୍ରାୟ ଦୁଇ ଦଶନ୍ଧି ଧରି ଆୟୁଷ ଡାକ୍ତରମାନେ ଓଡ଼ିଶାର ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ମେରୁଦଣ୍ଡ ହୋଇ ଆସିଛନ୍ତି। ତଥାପି, ଆମେ ନ୍ୟାୟ୍ୟ ଦରମା କିମ୍ବା ଚାକିରି ସୁରକ୍ଷା ବିନା ଅସ୍ଥାୟୀ ଚୁକ୍ତିନାମାରେ ଅଛୁ। ଯଦି ଆମର ଦାବି ପୁରଣ ନହୁଏ, ତେବେ ଆମେ ଆମର ପ୍ରତିବାଦକୁ ତୀବ୍ର କରିବାକୁ ବାଧ୍ୟ ହେବୁ।”
ସୂଚନା ଅନୁଯାୟୀ, ୨୨ ଫେବୃଆରୀ ୨୦୧୯ରେ କ୍ୟାବିନେଟ୍ ନିଷ୍ପତ୍ତି ମାଧ୍ୟମରେ ୮,୧୯୫ ଜଣ ଚୁକ୍ତିଭିତ୍ତିକ ସ୍ବାସ୍ଥ୍ୟକର୍ମୀ, ନର୍ସ, ଫାର୍ମାସିଷ୍ଟ ଏବଂ ଲ୍ୟାବ୍ ଟେକ୍ନିସିଆନଙ୍କୁ ନିୟମିତ କରାଯାଇଥିବା ବେଳେ ଆୟୁଷ ଡାକ୍ତରମାନଙ୍କୁ ବାଦ ଦିଆଯାଇଥିଲା। ସରକାରଙ୍କ ସହିତ ଅନେକ ଆଲୋଚନା ପରେ ମଧ୍ୟ କୌଣସି ସମାଧାନ ଆଣିବାରେ ବିଫଳ ହୋଇଥିଲେ ସରକାର।