ଆସିବ ନୂତନ ଜଳ ନୀତି: ୫ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମିରେ ଜଳସେଚନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟରେ ଶୀଘ୍ର ନୂତନ ଜଳ ନୀତି ପ୍ରଣୟନ କରାଯିବ। ଆଗାମୀ ୫ ବର୍ଷ ମଧ୍ୟରେ ଅତିରିକ୍ତ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା କରାଯିବ। ବିଶ୍ୱ ଜଳ ଦିବସ ସମାରୋହ ୨୦୨୫ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଯେ, ଜଳ ସଂରକ୍ଷଣ ଓ ପରିଚାଳନା ପାଇଁ ସରକାରଙ୍କ ସହିତ ବ୍ୟକ୍ତିଗତ ଓ ସାମୁହିକ ଉଦ୍ୟମ ଆବଶ୍ୟକ।
ମୁଖ୍ୟମନ୍ତ୍ରୀ ୧୨୨୭ କୋଟି ଟଙ୍କାର ୧୮ ବୃହତ ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ୧୦୦ ଚେକ ଡ୍ୟାମ ଓ ୪ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୂତଳ ପାଇପ ଲାଇନ ଲୋକାର୍ପିତ କରିଛନ୍ତି। ସେ କହିଛନ୍ତି, “ଜଳ ସଂରକ୍ଷଣ ଓ ପରିଚାଳନାରେ ସରକାରଙ୍କର ସବୁଠାରୁ ବଡ଼ ଭୂମିକା ରହିଛି। କିନ୍ତୁ ଏଥିରେ ବ୍ୟକ୍ତିଗତ ସ୍ତରରେ ତଥା ଗୋଷ୍ଠୀଗତ ସ୍ତରରେ ସମସ୍ତେ ନିଜ ନିଜ ଯୋଗଦାନ ରଖିବା ନିତାନ୍ତ ଆବଶ୍ୟକ।”
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, “ନୂଆ ସରକାର ରାଜ୍ୟରେ ନୂତନ ଜଳ ନୀତି ପ୍ରଣୟନ କରିବାକୁ ଯାଉଛନ୍ତି। ଏଥିସହିତ ପଟୁ ଜମି ଯାଇଥିବା ଓ ପ୍ରଦୂଷିତ ନଦୀ ନାଳ ଗୁଡିକର ପୁନରୁଦ୍ଧାର କରାଯିବା ପାଇଁ ପଦକ୍ଷେପ ନିଆଯାଉଛି।”
ମୁଖ୍ୟମନ୍ତ୍ରୀ ୮୦ କୋଟି ଟଙ୍କା ବ୍ୟୟରେ ୨୦ ଜିଲ୍ଲା ପାଇଁ କରାଯାଇଥିବା ୧୦୦ ଆଡିବନ୍ଧକୁ ଲୋକାର୍ପଣ କରିଛନ୍ତି। ଏହା ସହିତ ୪ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କେନ୍ଦୁଝର, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ଭୂତଳ ପାଇପଲାଇନ ଲୋକାର୍ପିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ ଜିଲ୍ଲାର ୨୭,୩୩୭ ହେକ୍ଟର ଉଚ୍ଚ ଚାଷଜମିକୁ ଜଳସେଚନ କରାଯିବା ପାଇଁ ୧,୨୨୭ କୋଟି ଟଙ୍କା ମୂଲ୍ୟର ୧୮ ବୃହତ ଉଠା ଜଳସେଚନ ଯୋଜନାର ଶିଳାନ୍ୟାସ କରିଛନ୍ତି।
“Go-Water” ERP App ର ଶୁଭାରମ୍ଭ କରିବା ସହିତ ଏହି ସମ୍ପର୍କିତ ସୂଚନା ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। କାର୍ଯ୍ୟକ୍ରମରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ଧନ୍ୟବାଦ ଅର୍ପଣ କରିଛନ୍ତି। ସର୍ବୋଚ୍ଚ ଯନ୍ତ୍ରୀ ଯୋଜନା ଓ ପରିକଳ୍ପନା ଲିଙ୍ଗରାଜ ଗୌଡ଼ ଏବଂ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଆଶୁତୋଷ ଦାଶ ନିଜର ଅଭିଭାଷଣ ରଖିଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ପାଣିପଞ୍ଚାୟତର ସଦସ୍ୟ ମାନେ ଉପସ୍ଥିତ ଥିଲେ।