FeaturedLatestNewsPolitics

କଂଗ୍ରେସର ସମସ୍ତ ୧୪ ବିଧାୟକ ବିଧାନସଭାରୁ ନିଲମ୍ବିତ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ବିଧାନସଭାରେ କଂଗ୍ରେସର ସମସ୍ତ ୧୪ ଜଣ ବିଧାୟକଙ୍କୁ ନିଲମ୍ବନ କରାଯାଇଛି। ଗତକାଲି ବାଚସ୍ପତି ସୁରମା ପାଢ଼ୀ କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ସସ୍ପେଣ୍ଡ କରିଥିବା ପରେ ଆଜି ଅନ୍ୟ ଦୁଇ ବିଧାୟକ ତାରା ବାହିନୀପତି ଏବଂ ରମେଶ ଜେନାଙ୍କୁ ମଧ୍ୟ ନିଲମ୍ବିତ କରାଗଲା। ଏହାଦ୍ୱାରା ବର୍ତ୍ତମାନର ବିଧାନସଭାରେ କଂଗ୍ରେସର କୌଣସି ବିଧାୟକ ରହିଲେ ନାହିଁ।

ଗତକାଲି ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ କଂଗ୍ରେସ ବିଧାୟକମାନେ ବିଧାନସଭାରେ ଅଶୋଭନୀୟ ଆଚରଣ କରିଥିବା ଅଭିଯୋଗ କରି ନିଲମ୍ବନ ପ୍ରସ୍ତାବ ଆଣିଥିଲେ। ତାହାକୁ ଆଧାର କରି ବାଚସ୍ପତି ୧୨ ଜଣଙ୍କୁ ୭ ଦିନ ପାଇଁ ସସ୍ପେଣ୍ଡ କରିଥିଲେ। ଆଜି ଅବଶିଷ୍ଟ ଦୁଇ ବିଧାୟକଙ୍କ ବିରୁଦ୍ଧରେ ସେହିପରି ଅଭିଯୋଗ ଆସିବା ପରେ ସେମାନଙ୍କୁ ମଧ୍ୟ ନିଲମ୍ବନ ଦିଆଗଲା।

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏହାକୁ ଅଗଣତନ୍ତ୍ରାତ୍ମକ ବୋଲି ନିନ୍ଦା କରି କହିଛନ୍ତି, “ବଳପ୍ରୟୋଗ କରି କଂଗ୍ରେସ ବିଧାୟକଙ୍କୁ ବାହାର କରାଯାଉଛି। ବିଧାନସଭାକୁ ପୋଲିସ ପ୍ରବେଶ କରିବା ଏକ ଚିନ୍ତନୀୟ ଘଟଣା।” ଅନ୍ୟ ପକ୍ଷରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ ପୋଲିସ୍ କାର୍ଯ୍ୟପଦ୍ଧତିକୁ ନେଇ ଆକ୍ରୋଷ ପ୍ରକାଶ କରିଛନ୍ତି।

ବୁଧବାର ବିଧାନସଭା ପ୍ରବେଶ ଦ୍ୱାରରେ ନିଲମ୍ବିତ ବିଧାୟକମାନେ ପ୍ରବେଶ କରିବାକୁ ଚେଷ୍ଟା କରିବା ସମୟରେ ପୋଲିସ ସହ ଧକ୍କାମୁକ୍କି ହୋଇଥିଲା। କେତେକ ବିଧାୟକ ବିଧାନସଭା ଗେଟ୍ ଭାଙ୍ଗି ଭିତରକୁ ପ୍ରବେଶ କରି ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ଧର୍ନା ଦେଇଥିଲେ। ପୋଲିସ ପରିସ୍ଥିତି ନିୟନ୍ତ୍ରଣ କରି କେତେକ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିଛି।

କଂଗ୍ରେସ ନେତାମାନେ ଏହାକୁ ରାଜ୍ୟ ସରକାରଙ୍କ ଦମନନୀତି ବୋଲି କହିଛନ୍ତି। ସେମାନେ ଦାବି କରିଛନ୍ତି ଯେ ନିର୍ବାଚିତ ପ୍ରତିନିଧିଙ୍କ ସ୍ୱରକୁ ଦବାଇବାର ଏହି ପ୍ରୟାସ ଆଗାମୀ ଦିନଗୁଡ଼ିକରେ ଜନତାଙ୍କ ମାଧ୍ୟମରେ ଜବାବ ପାଇବ। ଏହି ଘଟଣା ଓଡ଼ିଶା ରାଜନୀତିରେ ଏକ ନୂତନ ବିବାଦ ସୃଷ୍ଟି କରିଛି।