ବିଧାନସଭାର ବ୍ୟାରିକେଡ୍ ଭାଙ୍ଗିଲେ ବିଜେଡି ବିଧାୟକ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ବିଧାନସଭାରେ ବୁଧବାର ପୁଣି ହଟ୍ଟଗୋଳ ଦେଖାଦେଇଛି। ବିଜେଡି ବିଧାୟକମାନେ ବ୍ୟାରିକେଡ୍ ଭାଙ୍ଗି ରାସ୍ତାକୁ ବାହାରି ଆସିଥିବା ଦେଖାଯାଇଛି। ଗତକାଲି ଘଟିଥିବା ଘଟଣା ବିଷୟରେ ବାଚସ୍ପତି ବିବୃତି ଦେବାକୁ ଦାବି କରି ବିଜେଡି ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି। ପୋଲିସ୍ ବିଧାନସଭା ପରିସରରେ ପ୍ରବେଶ କରିବା ଘଟଣାକୁ ନେଇ ବିଜେଡି ପକ୍ଷ ତୀବ୍ର ନିନ୍ଦା କରିଛି।
ଆଜି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନା ଗୃହ ଭିତରେ ଘଣ୍ଟା ପିଟି ପ୍ରତିବାଦ ଜଣାଇଛନ୍ତି। ଏହାକୁ ନେଇ ବାଚସ୍ପତି ସୁରମା ପାଢ଼ୀ ଉଭୟଙ୍କୁ ବିଧାନସଭାରୁ ସସପେଣ୍ଡ କରିଛନ୍ତି। ବାଚସ୍ପତି ମଙ୍ଗଳବାରର ଘଟଣା ବିଷୟରେ ଗୃହରେ ବିବୃତି ଦେଇଛନ୍ତି, ଯାହା ପରେ ବିଜେଡି ସଦସ୍ୟମାନେ ଗୃହକୁ ଫେରିଥିଲେ। ହେଲେ ପୋଲିସ୍ କାର୍ଯ୍ୟପଦ୍ଧତି ବିଷୟରେ ସ୍ପଷ୍ଟ ଉତ୍ତର ନମିଳିବାରୁ ପରେ ପୁଣି କକ୍ଷତ୍ୟାଗ କରିଛନ୍ତି।
ଗତକାଲି କଂଗ୍ରେସ ବିଧାୟକଙ୍କ ଉପରେ ପୋଲିସ୍ ଦୁର୍ବ୍ୟବହାର ହୋଇଥିବାର ଅଭିଯୋଗ ହୋଇଛି। ଆଜି ବିଜେଡି ବିଧାୟକମାନେ ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ପୁଷ୍ପମାଲ୍ୟ ଅର୍ପଣ କରିବାକୁ ଯାଉଥିବା ବେଳେ ପୋଲିସ୍ ଅଟକାଇଥିବାରୁ ରାଜ୍ୟ ସରକାରଙ୍କ ଶାସନ ପ୍ରଣାଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, “ଓଡ଼ିଶାରେ ଏସସି ଓ ଏସଟି ଛାତ୍ରଛାତ୍ରୀମାନେ ଆରକ୍ଷଣରୁ ବଞ୍ଚିତ ହେଉଛନ୍ତି। କଂଗ୍ରେସ ବିଧାୟକଙ୍କୁ ରୁଷିଆ-ୟୁକ୍ରେନ୍ ଓ ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଦ୍ଧ ପରି ପିଟାଯାଇଛି। ପୋଲିସ ମଧ୍ୟ ବିଜେଡି ବିଧାୟକଙ୍କୁ ଆକ୍ରମଣ କରିଛି। ବିଧାନସଭାକୁ ପୋଲିସ୍ ପ୍ରବେଶ କରିବା ଲୋକତନ୍ତ୍ରକୁ ହତ୍ୟା କରିବା ସହ ସମାନ।”
ସେହିପରି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, “ଆମେ ଲୋକତାନ୍ତ୍ରିକ ପଦ୍ଧତିରେ ଆମର ଦାବି ପେଶ କରୁଛୁ। ଓଡ଼ିଶା ସରକାର ଗୋଟିଏ ପକ୍ଷୀୟ ନିଷ୍ପତ୍ତି ନେଉଛନ୍ତି, ଯାହା ସ୍ୱୀକାର୍ଯ୍ୟ ନୁହେଁ। ସରକାରଙ୍କୁ ନିଜ ମତାମତ ପରିବର୍ତ୍ତନ କରିବା ଆବଶ୍ୟକ।”