FeaturedLatestNews

୧୪୭ଟି ପଡ଼ା ଗାଁକୁ ମିଳିବ ରାଜସ୍ୱ ଗାଁର ମାନ୍ୟତା

ଭୁବନେଶ୍ୱର (ସଂକେତ ଟିଭି): ଗୁରୁବାର ଦିନ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇ କହିଛନ୍ତି ଯେ, ଗତ ଏକ ବର୍ଷରେ ରାଜ୍ୟର ୨୬୩ଟି ପଡ଼ା ଗାଁକୁ ରାଜସ୍ୱ ଗାଁର ମାନ୍ୟତା ଦିଆଯାଇଛି। ଏଥିସହିତ ଆଉ ୧୪୭ଟି ପଡ଼ା ଗାଁକୁ ରାଜସ୍ୱ ଗାଁ ଭାବେ ଘୋଷଣା କରିବା ପାଇଁ ଯୋଜନା କରାଯାଇଛି। ଏହି ପ୍ରକ୍ରିୟାରେ ଟେକ୍ନୋଲୋଜି ବ୍ୟବହାର କରି ମ୍ୟାପ୍ ପରିବର୍ତ୍ତନ କରାଯାଉଛି।

ରଣପୁରରେ ୩୨୮ ରାଜସ୍ୱ ଗାଁ

ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ରଣପୁର ବିଧାନସଭା କ୍ଷେତ୍ର ମଧ୍ୟରେ ବର୍ତ୍ତମାନ ୩୨୮ଟି ରାଜସ୍ୱ ଗାଁ ଏବଂ ୪୩ଟି ପଡ଼ା ଗାଁ ରହିଛି। ୨୦୧୧ ର ଜନଗଣନା ଅନୁଯାୟୀ, ଗ୍ରାମଗୁଡ଼ିକର ଲିଙ୍ଗ, ଅନୁସୂଚିତ ଜାତି ଓ ଜନଜାତି ଜନସଂଖ୍ୟା ଆଧାରରେ ୧୩ଟି ପଡ଼ା ଗ୍ରାମକୁ ବୋର୍ଡ ଅଫ୍ ରେଭିନ୍ୟୁ କଟକ ଦ୍ୱାରା ଅନୁମୋଦନ ଦିଆଯାଇଛି। ଏଥିରୁ ୭ଟି ଗାଁର ବିବାଦ ବିଚାରାଧୀନ ରହିଥିବା ବେଳେ ୩ଟି ଗାଁର ଦରଖାସ୍ତ ରଦ୍ଦ କରାଯାଇଛି।

ଖଣ୍ଡପଡ଼ା ବିଧାୟକଙ୍କ ପ୍ରଶ୍ନ

ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ, ରଣପୁର ବିଧାନସଭା କ୍ଷେତ୍ରରେ କେତୋଟି ରାଜସ୍ୱ ଗ୍ରାମ ଓ ପଡ଼ା ଗ୍ରାମ ଅଛି। ଏହାର ଉତ୍ତର ସ୍ୱରୂପ ରାଜସ୍ୱ ମନ୍ତ୍ରୀ ଉପରୋକ୍ତ ତଥ୍ୟ ରଖିଥିଲେ। ସେ ଆହୁରି କହିଛନ୍ତି ଯେ, ରାଜସ୍ୱ ଗାଁଗୁଡ଼ିକରେ ସରକାରୀ ଗରିବ କଲ୍ୟାଣ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେବ।