EducationFeaturedLatestNews

ମଧ୍ୟାହ୍ନ ଭୋଜନରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ଅଣ୍ଡା ଏବଂ ପୁଷ୍ଟିକର ଲଡୁ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ଆଜି ଏକ ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏଣିକି ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ମିଳିବ। ଏଥିସହିତ ସେମାନଙ୍କୁ ସପ୍ତାହରେ ୩ ଦିନ ଅଣ୍ଡା ଏବଂ ୩ ଦିନ ପୁଷ୍ଟିକର ଲଡୁ ମଧ୍ୟ ଦିଆଯିବ। ଏହି ନୂତନ ବ୍ୟବସ୍ଥା ଏପ୍ରିଲ ୧ ତାରିଖରୁ କାର୍ଯ୍ୟକାରୀ ହେବ।

ନବମ ଓ ଦଶମ ଶ୍ରେଣୀ ପାଇଁ ମଧ୍ୟାହ୍ନ ଭୋଜନ

ପୂର୍ବରୁ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଯାଉଥିଲା। ମାତ୍ର ବର୍ତ୍ତମାନର ନୂତନ ନିର୍ଦ୍ଦେଶ ଅନୁସାରେ, ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ପିଲାମାନଙ୍କୁ ମଧ୍ୟ ଏହି ସୁବିଧା ମିଳିବ। ଏହି ଯୋଜନା ଅନୁସାରେ, ଶିଶୁବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ପୁଷ୍ଟିକର ଲଡୁ ସହିତ ସପ୍ତାହରେ ୩ ଦିନ ଅଣ୍ଡା ମିଳିବ।

କେବେ ମିଳିବ ଅଣ୍ଡା ଓ ଲଡୁ?

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାନୁସାରେ, ସୋମବାର, ବୁଧବାର ଓ ଶୁକ୍ରବାର ପିଲାମାନଙ୍କୁ ଅଣ୍ଡା ଦିଆଯିବ। ଅନ୍ୟ ତିନି ଦିନ (ମଙ୍ଗଳବାର, ଗୁରୁବାର ଓ ଶନିବାର) ସେମାନଙ୍କୁ ପୁଷ୍ଟିକର ଲଡୁ ମିଳିବ। ଏହି ବ୍ୟବସ୍ଥା ପିଲାମାନଙ୍କ ପୋଷଣ ଆବଶ୍ୟକତାକୁ ପୂରଣ କରିବେ ବୋଲି ସରକାର ଆଶା କରୁଛନ୍ତି।

ରାଜ୍ୟ ସରକାରଙ୍କ ବଜେଟ୍ ବ୍ୟୟ

ଏହି ଯୋଜନା ବାବଦରେ ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କା ବ୍ୟୟ କରିବେ। ଏହି ଅର୍ଥ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ଖର୍ଚ୍ଚ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ନୂତନ ବ୍ୟବସ୍ଥା ପାଇଁ ପ୍ରସ୍ତୁତି କରିଛନ୍ତି ଏବଂ ଏପ୍ରିଲ ମାସରୁ ଏହା କାର୍ଯ୍ୟକାରୀ ହେବ।