LatestNews

ପ୍ରାତଃ ଭ୍ରମଣ ସମୟରେ ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ

ବାଲେଶ୍ୱର (ସଂକେତ ଟିଭି): ପ୍ରାତଃ ଭ୍ରମଣ କରିବା ସମୟରେ ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣାଟି ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନରେ ଅବସ୍ଥିତ ପଣପଣା ପଞ୍ଚାୟତର ନୂଆପଡ଼ା ଗ୍ରାମରେ ଘଟିଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ନାମ ବିଜୟ ଜେନା (୨୮) ବୋଲି ଖବର ମିଳିଛି। ସେ ସ୍ଥାନୀୟ ବାସିନ୍ଦା ନରେନ୍ଦ୍ର କୁମାର ଜେନାଙ୍କ ପୁତ୍ର ଥିଲେ।

ଆଜି ସକାଳେ ବିଜୟ ପ୍ରାତଃ ଭ୍ରମଣ କରି ବାହାନଗା ଆଡୁ ନିଜ ଘରକୁ ଫେରୁଥିବା ସମୟରେ ପଣପଣା ନିକଟସ୍ଥ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ଆଗରେ ଏକ ଅଜ୍ଞାତ ଟ୍ରକ ତାଙ୍କୁ ପଛରୁ ଜୋରରେ ଧକ୍କା ମାରିଥିଲା। ଧକ୍କାରେ ତାଙ୍କର ଡାହାଣ ଗୋଡ଼ ଆହତ ହୋଇଥିବା ବେଳେ, ପଡ଼ିଯିବା କାରଣରୁ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ଘଟଣା ପରେ ତାଙ୍କୁ ଆମ୍ବୁଲାନ୍ସ ୧୦୮ ମାଧ୍ୟମରେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଘଟଣା ସ୍ଥଳରେ ଖନ୍ତାପଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଦୋଷୀ ଟ୍ରକ ଚାଳକକୁ ଖୋଜିବାକୁ ପ୍ରୟାସ ଚାଲିଛି।