FeaturedLatestNewsPolitics

ଆସନ୍ତା ୧୨ରେ ଓଡ଼ିଶା ଆସିବେ ଜେ.ପି. ନଡ୍ଡା

ଭୁବନେଶ୍ୱର(ସଂକେତ ଟିଭି): ଭାରତୀୟ ଜନତା ପାର୍ଟି (ବିଜେପି)ର ଜାତୀୟ ସଭାପତି ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା ଆସନ୍ତା ୧୨ ତାରିଖରେ ଓଡ଼ିଶା ଆସିବେ। କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି।

ନଡ୍ଡାଙ୍କ ଏହି ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସେ ରାଜ୍ୟର ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗଦର୍ଶନ ଦେବେ ଏବଂ ବିଭିନ୍ନ ନେତାଙ୍କ ସହ ବୈଠକ କରିବେ। ଦଳ ଓ ସଂଗଠନ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଏବଂ ତୃଣମୂଳ ସ୍ତରରେ ସଂଗଠନକୁ ଶକ୍ତିଶାଳୀ କରିବା ପାଇଁ ରୋଡ଼ମ୍ୟାପ୍ ପ୍ରସ୍ତୁତ କରିବେ। ସରକାରଙ୍କ ସଫଳତା ପ୍ରଚାର କ୍ଷେତ୍ରରେ ଦଳର ଭୂମିକା ନେଇ ମଧ୍ୟ ଆଲୋଚନା ହେବ।

ବିଜେପି ଜାତୀୟ ସଭାପତିଙ୍କ ଏହି ଗସ୍ତ ରାଜ୍ୟ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ସଂଗଠନାତ୍ମକ କାର୍ଯ୍ୟକଳାପ ଓ ରାଜ୍ୟର ରାଜନୈତିକ ପରିସ୍ଥିତି ନେଇ ସେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ। ଏହି ଗସ୍ତ ବେଳେ ସେ କି ପ୍ରକାର ଦିଗନିର୍ଦ୍ଦେଶ ଦେବେ, ତାହା ସମସ୍ତଙ୍କ ନଜରରେ ରହିଛି।

ସେପଟେ ଆସନ୍ତା ୧୪ ତାରିଖ ପରେ ବିଜେପିର ନୂତନ ରାଜ୍ୟ ସଭାପତିଙ୍କ ନାମ ଘୋଷଣା ହୋଇପାରେ। ଦଳୀୟ ସୂତ୍ର ଅନୁଯାୟୀ, ଏହି ନିଯୁକ୍ତି ରାଜ୍ୟର ରାଜନୈତିକ ପରିବେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ନୂତନ ସଭାପତିଙ୍କ ନାମ ନଡ୍ଡା ତାଙ୍କ ଗସ୍ତ ସମୟରେ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି।