FeaturedLatestNews

ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ୍‌ ଟ୍ରେନ୍‌ ଲାଇନଚ୍ୟୁତ, ଜଣେ ମୃତ ୨୫ ଆହତ

ଭୁବନେଶ୍ୱର (ସଂକେତ ଟିଭି): ରବିବାର ଦିନ କଟକ ଜିଲ୍ଲାର ନିର୍ଗୁଣ୍ଡି ଷ୍ଟେସନ ନିକଟରେ ବାଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ୍ ରେଳର ୧୧ଟି ଡବା ଲାଇନ୍‌ଚ୍ୟୁତ ହେବାରୁ ଜଣେ ଯାତ୍ରୀର ମୃତ୍ୟୁ ଘଟିଛି ଏବଂ ୨୫ ଆହତ ହୋଇଛନ୍ତି। ଘଟଣାଟି ସକାଳ ୧୧.୫୪ ଘଟିକାରେ ଖୋର୍ଦ୍ଧା ରୋଡ଼ ରେଳବିଭାଗ ଅଧୀନରେ ଥିବା କଟକ-ନିର୍ଗୁଣ୍ଡି ରେଳପଥରେ ଘଟିଥିଲା।

ରେଳବାଇ ପକ୍ଷରୁ ପ୍ରେରିତ ଏକ ବିଜ୍ଞପ୍ତି ଅନୁଯାୟୀ, ପୂର୍ବତଟ ରେଳବାଇ (ECoR)ର ଜେନେରାଲ୍ ମ୍ୟାନେଜର୍, ଖୋର୍ଦ୍ଧା ରୋଡ଼ ଡିଭିଜନାଲ୍ ରେଳ ପ୍ରବନ୍ଧକ (DRM) ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଘଟନାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ଏହା ସହିତ ଆକସିଡେଣ୍ଟ୍ ରିଲିଫ୍ ଟ୍ରେନ୍ ଏବଂ ମେଡିକାଲ୍ ସହାୟତା ପଠାଯାଇଛି।

ଘଟଣାରେ ଆହତ ଯାତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି ଏବଂ ରେଳବାଇ ପକ୍ଷରୁ ସ୍ପେସିଆଲ୍ ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ECoR ର ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ଅଶୋକ କୁମାର ମିଶ୍ର କହିଛନ୍ତି, “ଘଟଣାର କାରଣ ତଦନ୍ତ ଚାଲିଛି। ଆମେ ପ୍ରଥମେ ଯାତ୍ରୀଙ୍କ ସୁରକ୍ଷା ଓ ସାହାଯ୍ୟ ଉପରେ ଧ୍ୟାନ ଦେଉଛୁ।” ରେଳବାଇ ପୋଲିସ୍ ଏବଂ ଆରପିଏଫ୍ ଦଳ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଏହି ଘଟଣା ପରେ ଧଉଳୀ ଏକ୍ସପ୍ରେସ୍ , ନୀଳାଚଳ ଏକ୍ସପ୍ରେସ୍ ଏବଂ ପୁରୁଲିଆ ଏକ୍ସପ୍ରେସ୍ ର ଗତିପଥ ବଦଳାଯାଇଛି ।

ଟ୍ରେନରେ ଥିବା ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ଏନେଇ ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭୁବନେଶ୍ବରରୁ ଏହି ସ୍ବତନ୍ତ୍ର ଟ୍ରେନ୍‌ ବାହାରିଥିଲା। ଭାୟା ନରାଜ ଦେଇ ଏହି ଟ୍ରେନ ଦୁର୍ଘଟଣାସ୍ଥଳକୁ ଯାଇଥିଲା। ଏହି ଟ୍ରେନ୍ ଅଧାରେ ଫସିଥିବା ଯାତ୍ରୀଙ୍କୁ ନେଇ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବ।

ରେଳବାଇ ପକ୍ଷରୁ ଯାତ୍ରୀଙ୍କ ସାହାଯ୍ୟାର୍ଥେ ନିମ୍ନଲିଖିତ ହେଲ୍ପଲାଇନ୍ ସଂଖ୍ୟା ଜାରି କରାଯାଇଛି:

  • ECoR ହେଲ୍ପଡେସ୍କ: ୮୧୧୪୩୮୨୩୭୧
  • କଟକ: ୮୯୯୧୧୨୪୨୩୮ / ୭୨୦୫୧୪୯୫୯୧
  • ଭୁବନେଶ୍ୱର (ପ୍ଲାଟଫର୍ମ ୧): ହେଲ୍ପଡେସ୍କ ସହ ଉପସ୍ଥିତ
  • ଖୋର୍ଦ୍ଧା ରୋଡ଼: ୦୬୭୪-୨୪୯୨୨୪୫
  • ଭଦ୍ରକ: ୯୪୩୭୪୪୩୪୬୯