FeaturedLatestNews

ମୋଟରସାଇକଲ କିଣିବା ସମୟରେ ମିଳିବ ଦୁଇଟି ମାଗଣା ହେଲମେଟ୍

ନୂଆଦିଲ୍ଲୀ (ସଂକେତ ଟିଭି): ଆଗାମୀ ଦିନରେ ମୋଟରସାଇକେଲ କିଣିବା ସମୟରେ ଦୁଇଟି ଆଇଏସ୍‌ଆଇ ସାର୍ଟିଫାଏଡ୍ ହେଲମେଟ୍ ମିଳିବ। କେନ୍ଦ୍ର ସରକାର ମୋଟରସାଇକେଲ କମ୍ପାନୀଙ୍କୁ ଗାଡ଼ି ସହିତ ଦୁଇଟି ହେଲମେଟ୍ ଯାତ୍ରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ଏକ ଅଟୋ ପ୍ରଦର୍ଶନୀରେ କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହି ଘୋଷଣା କରିଛନ୍ତି। ସେ ଜୋର୍ ଦେଇ କହିଛନ୍ତି ଯେ ଲୋକଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ।

ଏହାପୂର୍ବରୁ, ଟୁ-ହ୍ୱିଲର ମ୍ୟାନୁଫ୍ୟାକ୍ଚରର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ସ୍ଟିଏଚଏମଏ) ମୋଟରସାଇକେଲ ସହିତ ଦୁଇଟି ହେଲମେଟ୍ ଦେବାକୁ ଦାବି କରି ଆସୁଥିଲା। ମନ୍ତ୍ରୀଙ୍କ ଘୋଷଣାକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇ ଏହି ସଂଗଠନ କହିଛି ଯେ ଏହା କେବଳ ଏକ ନିୟମ ନୁହେଁ, ବରଂ ଏକ ଜାତୀୟ ଆବଶ୍ୟକତା। ଟିଏଚଏମଏର ଅଧ୍ୟକ୍ଷ ରାଜୀବ କପୁର କହିଛନ୍ତି, “ଏହି ପଦକ୍ଷେପ ଭବିଷ୍ୟତରେ ହେଉଥିବା ଦୁର୍ଘଟଣା ଓ ଜୀବନହାନିକୁ ରୋକିବ। ଯେଉଁ ପରିବାରଗୁଡ଼ିକ ଦୁର୍ଘଟଣାରେ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ମନରେ ଆଶା ଜାଗ୍ରତ କରିଛି।”

ସଂଗଠନ ଆହୁରି ମଧ୍ୟ କହିଛି ଯେ ମୋଟରସାଇକେଲ ଯାତ୍ରା ବିପଦମୁକ୍ତ ହେବା ଉଚିତ୍। ଚାଳକ ଏବଂ ପଛରେ ବସିଥିବା ଯାତ୍ରୀ ଉଭୟେ ହେଲମେଟ୍ ପିନ୍ଧିବା ଜରୁରୀ। ଏଥିପାଇଁ ଉଚ୍ଚ ମାନର ହେଲମେଟ୍ ଉତ୍ପାଦନ ବୃଦ୍ଧି କରିବାକୁ ମଧ୍ୟ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।