ରାଜ୍ୟରେ ଆଇନ ଶୃଙ୍ଖଳା ନେଇ ଶାସକ ବିଜେପିକୁ ଟାର୍ଗେଟ କଲେ ବିରୋଧୀ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଆଇନ ଶୃଙ୍ଖଳାର ବିଘ୍ନସ୍ଥିତି ଓ ମହିଳା ସୁରକ୍ଷା ନେଇ ବିରୋଧୀ ଦଳ କଂଗ୍ରେସ ଓ ବିଜେଡ଼ି ତୀବ୍ର ଆକ୍ଷେପ କରିଛନ୍ତି। ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ଆଇନ-ଶୃଙ୍ଖଳା ବିଫଳତା ଓ ପୋଲିସର ନିଷ୍ପ୍ରଭତାକୁ ଲକ୍ଷ୍ୟ କରି ସରକାରକୁ କଠୋର ଭାଷାରେ ସମାଲୋଚନା କରିଛନ୍ତି।
ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଛି। ପୋଲିସ ବିଭାଗ ସ୍ୱାଧୀନ ଭାବେ କାର୍ଯ୍ୟ କରିପାରୁନାହିଁ, ରାଜନୈତିକ ହସ୍ତକ୍ଷେପ ବଢିଛି। ଭୁବନେଶ୍ୱର, ଭରତପୁର ଓ କବିସୂର୍ଯ୍ୟନଗର ଘଟଣା ଏହାର ପ୍ରମାଣ। ସରକାରୀ ଦଳର କର୍ମୀମାନେ ପୋଲିସ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି, ଯାହା ଅପରାଧ ବୃଦ୍ଧିର କାରଣ ହେଉଛି।”
କଂଗ୍ରେସ ନେତା ରାମଚନ୍ଦ୍ର କାଡାମ୍ ମହିଳା ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରି କହିଛନ୍ତି, “ବିଜେପି ସରକାର ଆସିବା ପରେ ମହିଳା ନିର୍ଯାତନା ଘଟଣା ବୃଦ୍ଧି ପାଇଛି। ୯ ମାସ ମଧ୍ୟରେ ରାଜ୍ୟର ମା’, ଝିଅ ଓ ଭଉଣୀମାନେ ଅସୁରକ୍ଷିତ। ଆମେ ୧୬ ଦିନ ଧରି ବିଧାନସଭାରେ ଗୃହ କମିଟି ଗଠନ ଦାବି କରିଥିଲେ, କିନ୍ତୁ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି।” ସେ ଆହୁରି କହିଛନ୍ତି, “ପୋଲିସ ବିଭାଗ ଏବେ ରାଜନୈତିକ ଦଳର ହାତଖଟ୍ଟା ହୋଇଯାଇଛି। ପୂର୍ବରୁ ଯେଉଁମାନେ ଦଙ୍ଗା କରୁଥିଲେ, ସେମାନେ ଏବେ ସରକାରରେ ଅଛନ୍ତି!”
ଏହି ଅଭିଯୋଗକୁ କଡା ଭାବେ ଖଣ୍ଡନ କରି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, “ବିଜେଡ଼ି ଓ କଂଗ୍ରେସ ଦୁଇ ଭାଇ ପରି ଏକାଠି ହୋଇ ମିଥ୍ୟା ଅଭିଯୋଗ କରୁଛନ୍ତି। ପୂର୍ବ ସରକାର ପୋଲିସ ବିଭାଗକୁ ଦୁର୍ବଳ କରିଦେଇଥିଲେ, କିନ୍ତୁ ଆମ ସରକାର ପୋଲିସକୁ ସଶକ୍ତ କରିବାକୁ କାମ କରୁଛି। ଅପରାଧ ନିୟନ୍ତ୍ରଣରେ ଉଲ୍ଲେଖନୀୟ ସଫଳତା ମିଳିଛି, ୨୪ରୁ ୭୨ ଘଣ୍ଟା ମଧ୍ୟରେ ଅପରାଧୀଙ୍କୁ ଧରାଯାଉଛି।”
କଂଗ୍ରେସ ଜଣାଇଛି ଯେ ସେମାନେ ଜିଲ୍ଲା ଓ ବ୍ଲକ ସ୍ତରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିବେ। ରାମଚନ୍ଦ୍ର କାଡାମ୍ କହିଛନ୍ତି, “ଯେପର୍ଯ୍ୟନ୍ତ ମହିଳାମାନଙ୍କୁ ସୁରକ୍ଷା ମିଳିବ ନାହିଁ, ଆମେ ପଛଘୁଞ୍ଚା ଦେବୁ ନାହିଁ!”