ରାମ କଥା ପ୍ରବଚନ ଦେଉଥିବା ଅବସ୍ଥାରେ ଟଳିପଡିଲେ ବିଶିଷ୍ଟ ପ୍ରବଚକ
ଭଦ୍ରକ (ସଂକେତ ଟିଭି) : ରାମମନ୍ଦିରରେ ଶ୍ରୀ ରାମ ଚରିତ ମାନସର ପ୍ରବଚନ ଦେଉଥିବାବେଳେ ଟଳିପଡିଲେ ବିଶିଷ୍ଟ ପ୍ରବଚକ । ଭଦ୍ରକ ଜିଲ୍ଲାର ସାହାଡ଼ାର ରାମ ମନ୍ଦିରରେ ଏଭଳି ଘଟଣା ଘଟିଛି । ରାମଚରିତ ମାନସ ପ୍ରବଚକ ଏବଂ ଜଣାଶୁଣା ଅଧ୍ୟାପକ ଗୋପାଳ ପ୍ରସାଦ ବେଜ ପ୍ରବଚନ ଦେଉଥିବା ଅବସ୍ଥାରେ ହଠାତ୍ ମୃତ୍ୟୁବରଣ କରିଛନ୍ତି।
ସାହାଡ଼ାର ରାମ ମନ୍ଦିରରେ ନଅଦିନିଆ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଏବଂ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାସୁଦେବପୁର ବ୍ଲକ ଅନ୍ତର୍ଗତ ଆଢୁଆଁ ଧାତାପୁର ନିବାସୀ ବିଶିଷ୍ଟ ପ୍ରବଚକ ଗୋପାଳ ପ୍ରସାଦ ବେଜ ଏହି କାର୍ଯ୍ୟକ୍ରମରେ ପ୍ରବଚକ ଭାବରେ ଯୋଗଦାନ କରିଥିଲେ।
କାର୍ଯ୍ୟକ୍ରମର ଦ୍ଵିତୀୟ ଦିନ ପ୍ରବଚନ ଦେଉଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିବା ପରେ ସହଯୋଗୀମାନେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି।