ରାଜ୍ୟବ୍ୟାପୀ ଖଡ଼ି ଛୁଆଁ, ପ୍ରବେଶ ଉତ୍ସବ, ଶିଶୁ ବାଟିକା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ଆଜି, ଏପ୍ରିଲ ୨ (ବୁଧବାର) ରାଜ୍ୟରେ ନୂତନ ଶିକ୍ଷା ନୀତି ୨୦୨୦ ଲାଗୁ ହୋଇଛି। ଏହି ନୀତି ଅନୁଯାୟୀ, ରାଜ୍ୟବ୍ୟାପୀ ଶିଶୁ ବାଟିକା, ପ୍ରବେଶ ଉତ୍ସବ ଏବଂ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭୁବନେଶ୍ୱରର ବଡ଼ଗଡ଼ ହାଇସ୍କୁଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛୋଟ ପିଲାଙ୍କୁ ଖଡ଼ି ଧରାଇ ବ୍ରହ୍ମା, ବିଷ୍ଣୁ ଲେଖାଇଲେ ଏବଂ ସେମାନଙ୍କୁ ସ୍କୁଲ ବ୍ୟାଗ୍ ଉପହାର ସ୍ୱରୂପ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ପିଲାଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କ ମନରୁ ସ୍କୁଲ ଭୟ ଦୂର କରିବା ସହ ଶିକ୍ଷା ପ୍ରତି ଆଗ୍ରହ ଜାଗ୍ରତ କରିଥିଲେ। ସେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପରଷି ଦେଇଥିଲେ ଏବଂ ଶିଶୁ ବାଟିକାରେ ଖେଳ ଓ କ୍ରିୟାତ୍ମକ ଶିକ୍ଷା ପଦ୍ଧତି ମାଧ୍ୟମରେ ପାଠ ପଢିବାର ମହତ୍ତ୍ୱ ବୁଝାଇଥିଲେ। ସେ ସୋସିଆଲ ମିଡିଆରେ କହିଥିଲେ, “ଏହି କାର୍ଯ୍ୟକ୍ରମ ପିଲାଙ୍କ ଶୈଶବକୁ ସ୍ମରଣୀୟ କରିବ ଏବଂ ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବ।”
ନୂତନ ଶିକ୍ଷା ନୀତି ଅନୁସାରେ, ଶିଶୁ ବାଟିକାରେ ପିଲାଙ୍କୁ ଚାପମୁକ୍ତ ଭାବରେ ଖେଳ ଓ କାଗଜ-କଲମ ମାଧ୍ୟମରେ ଶିକ୍ଷା ଦିଆଯିବ। ପିଲାଙ୍କ ବୌଦ୍ଧିକ ବିକାଶ ପାଇଁ ଜାଦୁଇ ପିଟାରା, ପୋଷ୍ଟର, ଚିତ୍ରାଙ୍କନ ଓ ଗଣନା ଖେଳ ଆଦି ବ୍ୟବହାର କରାଯିବ। ଏହା ସହିତ, ରାଜ୍ୟ ସରକାର ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇବେ ଏବଂ ପ୍ରତି ସପ୍ତାହରେ ୩ଟି ଅଣ୍ଡା ଓ ପୃଷ୍ଟିକର ଲଡୁ ଦେବେ। ଏହି ଯୋଜନାରେ ବାର୍ଷିକ ୩୭୨.୮୦ କୋଟି ଟଙ୍କା ଖର୍ଚ୍ଚ ହୋଇ ୫୩.୨୫ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ।