FeaturedLatestNews

ଏଥର ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାର

ସମ୍ବଲପୁର (ସଂକେତ ଟିଭି): ଏଥର ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାର ସମ୍ବଲପୁରରେ ଅନୁଷ୍ଠିତ ହେବ । ଭୁବନେଶ୍ୱର ପରିବର୍ତ୍ତେ ସମ୍ବଲପୁରରେ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଗାମୀ ଏପ୍ରିଲ ୨୧ ତାରିଖରେ ସମ୍ବଲପୁର ଜିଏମ୍ ବିଶ୍ୱବିଦ୍ୟାଳୟ ପରିସରରେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସକାଳ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହା ଚାଲିବ ।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଜଣାଇଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସହ ୮ରୁ ୧୦ ଜଣ ମନ୍ତ୍ରୀ ଏବଂ ପ୍ରତ୍ୟେକ ବିଭାଗର ସଚିବମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ରାଜ୍ୟର ଯେକୌଣସି ଜିଲ୍ଲାର ଲୋକେ ଏଠାରେ ଆସି ନିଜ ଅଭିଯୋଗ ଜଣାଇପାରିବେ । ଏହାପୂର୍ବରୁ କାର୍ଯ୍ୟକ୍ରମ ପରିଚାଳନା ସମ୍ପର୍କୀୟ ଅଧିକାରୀମାନେ ସମ୍ବଲପୁର ପରିଦର୍ଶନ କରି ପ୍ରସ୍ତୁତିର ସମୀକ୍ଷା କରିଥିଲେ ।

ମନ୍ତ୍ରୀ ପୂଜାରୀ କହିଛନ୍ତି, “ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କେବଳ ଭୁବନେଶ୍ୱରରେ ହେଉଥିଲା । ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଏହାକୁ ସମ୍ବଲପୁରରେ ଆୟୋଜିତ କରିଛନ୍ତି । ଏଥିପାଇଁ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାର ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି ।”

ଏହି କାର୍ଯ୍ୟକ୍ରମରେ ଲୋକଙ୍କ ସୁବିଧା ପାଇଁ ଯଥେଷ୍ଟ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଜଣାଇଛନ୍ତି । ଭବିଷ୍ୟତରେ ବ୍ରହ୍ମପୁର ଓ କେନ୍ଦୁଝରରେ ମଧ୍ୟ ଏଭଳି ଜନତା ଦରବାର ଆୟୋଜିତ ହେବ ବୋଲି ସେ କହିଛନ୍ତି ।