ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ବ୍ଲେଡରେ କାଟି ଲୁଣ ମାରିଲେ ନବମ ଶ୍ରେଣୀର ଛାତ୍ର
ବାରିପଦା (ସଂକେତ ଟିଭି): ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅନ୍ତର୍ଗତ ଏକ ହାଇସ୍କୁଲ ହଷ୍ଟେଲରେ ରାଗିଂ ଓ ନିର୍ଯାତନାର ଘଟଣା ଘଟିଛି। ଷଷ୍ଠ ଶ୍ରେଣୀର ଜଣେ ଛାତ୍ର ନବମ ଶ୍ରେଣୀର ଛାତ୍ରମାନଙ୍କ ଦ୍ୱାରା ରେଗିଂର ଶିକାର ହୋଇଥିବାର ଅଭିଯୋଗ ଆସିଛି। ଘଟଣାରେ ନବମ ଶ୍ରେଣୀ ଛାତ୍ରମାନେ ବ୍ଲେଡରେ ଛାତ୍ରଙ୍କ ହାତ କାଟିବା ସହ କ୍ଷତସ୍ଥଳରେ ଲୁଣ ମାରିଥିବା କୁହାଯାଉଛି।
ଘଟଣାଟି ବାରିପଦା ଅଞ୍ଚଳର ବାସିପିଠା ଏସଏସଡି ହାଇସ୍କୁଲ ହଷ୍ଟେଲରେ ଘଟିଥିବା ଜଣାଯାଏ। ଅଭିଯୋଗ ଅନୁଯାୟୀ, ନବମ ଶ୍ରେଣୀର କେତେକ ଛାତ୍ର ହଷ୍ଟେଲରେ ମଦପାନ କରୁଥିବା ସମୟରେ ଷଷ୍ଠ ଶ୍ରେଣୀର ଜଣେ ଛାତ୍ର ସେମାନଙ୍କୁ ଦେଖିଦେଇଥିଲେ। ପରେ ସେ ଏହି ଘଟଣାର ସେ ଭିଡିଓ ଉତ୍ତୋଳନ କରିଥିଲେ। ଏଥିରେ ରାଗିଯାଇ ନବମ ଶ୍ରେଣୀ ଛାତ୍ରମାନେ ପରଦିନ ଛୋଟ ଛାତ୍ରଙ୍କୁ ଏକ କୋଠରୀରେ ଅଟକାଇ ଲୁହା ରଡ଼ ଓ ବେଲ୍ଟରେ ପ୍ରହାର କରିଥିଲେ। ଏଥିସହ ବ୍ଲେଡରେ ତାଙ୍କ ହାତ କାଟି କ୍ଷତସ୍ଥଳରେ ଲୁଣ ମାରିବା ସହ ଛୁରୀ ଦେଖାଇ ଜୀବନଠାରୁ ବଞ୍ଚିତ କରିଦେବାକୁ ଧମକ ଦେଇଥିଲେ।
ଯନ୍ତ୍ରଣାର ଶିକାର ହୋଇଥିବା ଛାତ୍ର ପରିବାରକୁ ଘଟଣା ଜଣାଇବା ପରେ ତାଙ୍କ ପିତା ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ଦାଖଲ କରି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ସମ୍ବନ୍ଧରେ ଅଧିକ ତଥ୍ୟ ଅନୁସନ୍ଧାନ ଚାଲିଛି।