ଭାରତ ଉପରେ ୨୬% ଟିକସ ଲଗାଇଲା ଟ୍ରମ୍ପ ପ୍ରଶାସନ
ୱାଶିଂଟନ୍ (ସଂକେତ ଟିଭି): ଅଧିକ ଟିକସ ଲଗାଉଥିବା ଦେଶ ତାଲିକାରେ ଭାରତକୁ ଅନ୍ତର୍ଭୁକ୍ତ କରିଛି ଆମେରିକା। ଭାରତ ଉପରେ ପାରସ୍ପରିକ ଶୁଳ୍କ (ରେସିପ୍ରୋକାଲ ଟାରିଫ୍) ଲଗାଇଛି ଯୁକ୍ତରାଷ୍ଟ୍ର ଆମେରିକା। ଟିଟ୍-ଫର୍-ଟାଟ୍ ନୀତି ଅନୁସାରେ ୨୬% ଟିକସ ଲଗାଯାଇଛି।
“ମେକ୍ ଆମେରିକା ଗ୍ରେଟ୍ ଆଗେନ୍” କାର୍ଯ୍ୟକ୍ରମ ଅନ୍ତର୍ଗତ ଭାରତ ସହିତ ବିଶ୍ବର ଅନ୍ୟାନ୍ୟ ଦେଶ ଉପରେ ଏହି ଶୁଳ୍କ ଲଗାଯାଇଛି। ଟ୍ରମ୍ପ ପ୍ରଶାସନ ଏହାକୁ “ମୁକ୍ତି ଦିବସ” ବୋଲି କହିଛନ୍ତି। ସେ କହିଛନ୍ତି, “ଏହା ଆମେରିକାର ଶିଳ୍ପ କ୍ଷେତ୍ରର ପୁନର୍ଜାଗରଣ। ଆମେ ଆମେରିକାକୁ ଆଉ ଥରେ ଶକ୍ତିଶାଳୀ ଓ ସମୃଦ୍ଧ କରିବା।”
ଟ୍ରମ୍ପ ଆହୁରି କହିଛନ୍ତି, “ଅନ୍ୟ ଦେଶମାନେ ଆମେରିକାର ପଣ୍ୟଦ୍ରବ୍ୟ ଉପରେ ଅଧିକ ଶୁଳ୍କ ଲଗାଉଛନ୍ତି। ଯେପରି ଭାରତ ୭୦%, ଭିଏତନାମ ୭୫% ଏବଂ ଥାଇଲ୍ୟାଣ୍ଡ ୬୦% ଶୁଳ୍କ ଲଗାଉଛି। ଆମେରିକା ଏବେ ପର୍ଯ୍ୟନ୍ତ ମାତ୍ର ୨.୫% ଶୁଳ୍କ ଲଗାଉଥିଲା। ଏହା ନ୍ୟାୟ୍ୟ ନୁହେଁ।”
ଏହି ନୂତନ ନିୟମ ଅନୁସାରେ, ୫ ଏପ୍ରିଲରୁ ଆମେରିକାରେ ସମସ୍ତ ଆମଦାନୀ ଉପରେ ୧୦% ଏବଂ ୧୦ ଏପ୍ରିଲରୁ ଅତିରିକ୍ତ ୧୬% ଶୁଳ୍କ ଲାଗୁ ହେବ। ଯଦି କୌଣସି ଦେଶ ଆମେରିକାର ସମସ୍ୟାର ସମାଧାନ କରେ, ତେବେ ଶୁଳ୍କ ହ୍ରାସ କରାଯାଇପାରିବ।
ଭାରତ ସହିତ ମୋଟ ୨୫ଟି ଦେଶ ଉପରେ ଏହି ଶୁଳ୍କ ଲଗାଯାଇଛି। କାମ୍ବୋଡିଆ ଉପରେ ସର୍ବାଧିକ ୯୭%, ଶ୍ରୀଲଙ୍କା ଉପରେ ୮୮%, ଭିଏତନାମ ଉପରେ ୯୦%, ତାଇୱାନ ଉପରେ ୬୪%, ଚୀନ ଉପରେ ୬୭% ଏବଂ ପାକିସ୍ତାନ ଉପରେ ୫୮% ଶୁଳ୍କ ଲଗାଯାଇଛି।