ଟ୍ରକ୍ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ, ରାସ୍ତାରୋକ କଲେ ଉତ୍ୟକ୍ତ ଲୋକେ
ବାଲେଶ୍ଵର (ସଂକେତ ଟିଭି): ବାଲେଶ୍ଵର ଜିଲ୍ଲା ସୋର ଥାନା ଅଧୀନର ୧୬ ନମ୍ବର ଜାତୀୟ ରାଜପଥରେ ଏକ ରାସ୍ତା ଦୁର୍ଘଟଣାରେ ଜଣେ ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି। ଘଟଣା ଆଦିରୁପା ପେଟ୍ରୋଲ ପମ୍ପ ସାମ୍ନାରେ ଘଟିଥିବା ବେଳେ ମୃତକ ଦାଣ୍ଡହରିପୁର ଗ୍ରାମବାସୀ ଅଭିରାମ ମଳିକ (୫୦) ବୋଲି ଚିହ୍ନଟ କରାଯାଇଛି।
ଆଜି ସକାଳେ ଅଭିରାମ ମଳିକ ସାଇକେଲରେ ବାରିକପୁର ହାଟକୁ ଯାଉଥିବା ବେଳେ ଆଦିରୁପା ପେଟ୍ରୋଲ ପମ୍ପ ନିକଟରେ ଓଡି-୧୯ଏଲ-୧୦୨୨ ନମ୍ବର ବିଶିଷ୍ଟ ଏକ ଟ୍ରକ୍ ତାଙ୍କୁ ଧକ୍କା ମାରିଥିଲା। ପ୍ରଚଣ୍ଡ ଆଘାତରେ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି।ଘଟଣା ପରେ ସ୍ଥାନୀୟ ବାସିନ୍ଦାମାନେ କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରିଥିଲେ।
ସୋର ଅତିରିକ୍ତ ତହସିଲଦାର ଦୟାନିଧି ମଳିକ ଓ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଶବକୁ ସୋର ସରକାରୀ ଡାକ୍ତରଖାନାକୁ ପଠାଇଥିଲେ। ସେପଟେ ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ସେପଟେ ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକ ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ଦେବାର ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ଉଠିଥିଲା।