FeaturedHealthLatestNews

କଟକ ବାଲିଯାତ୍ରା ପଡ଼ିଆରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା

କଟକ (ସଂକେତ ଟିଭି): କଟକର ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି. ନଡ୍ଡା ଯୋଗ ଦେବାବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ ଆୟୁଷ୍ମାନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ଦୁଇଜଣ ଉପମୁଖ୍ୟମନ୍ତ୍ରୀ ସହିତ ତିନିଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଶନିବାର ଦିନ ବାଲିଯାତ୍ରା ପଡ଼ିଆରେ କାର୍ଯ୍ୟକ୍ରମ ସ୍ଥଳୀର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ସୁବିଧା, ଜଳଯୋଗାଣ ଓ ବିଦ୍ୟୁତ ସଂଯୋଗ ସହିତ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କରେ ଆଲୋଚନା କରାଯାଇଛି। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ରାଜ୍ୟର ସମସ୍ତ ୧୪୦୫ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)ରେ ଦେଖାଯିବ।

ପ୍ରଥମେ ୧୧ ତାରିଖରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ବର୍ତ୍ତମାନ କାର୍ଯ୍ୟକ୍ରମର ସଠିକ୍ ତାରିଖ ଓ ସମୟ ସମ୍ପର୍କରେ ଆଗାମୀ ଦିନଗୁଡ଼ିକରେ ବିଧିବଦ୍ଧ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଜଣାଇଛନ୍ତି। ଏହି ଯୋଜନା ରାଜ୍ୟବାସୀଙ୍କ ପାଇଁ ଏକ ମୌଳିକ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ହେବାବେଳେ ଏହା ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଉଛି।