ଖୁବ୍ ଶୀଘ୍ର ଓଡ଼ିଶାରେ ନିବେଶ କରିବ HCL ଟେକ୍
ନୂଆଦିଲ୍ଲୀ(ସଂକେତ ଟିଭି): ଖୁବ୍ ଶୀଘ୍ର ଓଡ଼ିଶାରେ HCLର କ୍ୟାମ୍ପସ ହେବା ସମ୍ଭାବନା ସୃଷ୍ଟି ହୋଇଛି । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟର ଆଲୋଚନା ସମାପ୍ତ ହୋଇଛି । ଏହି ପ୍ରକ୍ରିୟାରେ ଅଗ୍ରଗାମୀ ଆଲୋଚନା ପାଇଁ HCLର ଏକ ଟିମ୍ ଶୀଘ୍ର ଓଡ଼ିଶା ଆସିବେ ବୋଲି ଜଣାଯାଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ HCL ପ୍ରତିନିଧିଙ୍କୁ ଓଡ଼ିଶା ଆସି ପୁରୀ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଆମନ୍ତ୍ରଣ ଜଣାଇଛନ୍ତି । ତିନିଦିନିଆ ଦିଲ୍ଲୀ ଗସ୍ତର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନୋଏଡାର HCL ଟେକ୍ ପରିଦର୍ଶନ କରିଛନ୍ତି । ଏହି ସମୟରେ ସେ HCLର ବରିଷ୍ଠ ଅଧିକାରୀଙ୍କ ସହିତ ଓଡ଼ିଶାରେ ନିବେଶ ସମ୍ପର୍କିତ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ । ଉଲ୍ଲେଖନୀୟ ଯେ, ମୁଖ୍ୟମନ୍ତ୍ରୀ HCL ପ୍ରାଙ୍ଗଣରେ ଏକ ନିମ୍ ଗଛ ରୋପଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ତିନିଦିନିଆ ଦିଲ୍ଲୀ ଗସ୍ତ ଅବସରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିପତ୍ର (MoU) ସ୍ୱାକ୍ଷରିତ ହେବାର ଯୋଜନା ରହିଛି । IOCL, ISPRL ଏବଂ ପେଟ୍ରୋନେଟ୍ LNG ସହିତ ବୁଝାମଣା ସାଇତି ରଖାଯାଇଛି । ଏହାସହିତ ନୋଏଡାର HCL ଟେକ୍ନୋଲୋଜି ସହିତ ମଧ୍ୟ ନିବେଶ ସମ୍ପର୍କିତ ଆଲୋଚନା ହୋଇଛି । ବହୁ ଶିଳ୍ପସଂସ୍ଥାର ମୁଖ୍ୟଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ରେ ଯୋଗ ଦେବେ । ନିବେଶକଙ୍କ ସହିତ ହେବାକୁ ଥିବା ଚୁକ୍ତିପତ୍ର ସ୍ୱାକ୍ଷର ସମୟରେ ସେ ଉପସ୍ଥିତ ରହିବେ ।