ଟ୍ରମ୍ପଙ୍କ ଟାରିଫ୍ ମାଡରେ କ୍ରାସ୍ ହେଲା ଭାରତ ସହିତ ସାରା ବିଶ୍ବର ଷ୍ଟକ୍ ମାର୍କେଟ୍
ମୁମ୍ବାଇ(ସଂକେତ ଟିଭି): ବିଶ୍ଵ ଷ୍ଟକ୍ ବଜାରକୁ କଳା ସୋମବାର ଭୟ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ମାଡରେ ସାରା ବିଶ୍ଵରେ ଷ୍ଟକ୍ ବଜାର କ୍ରାଶ୍ ହେଲା। ଏହାର ପ୍ରଭାବ ଭାରତୀୟ ଷ୍ଟକ୍ ବଜାର ଉପରେ ମଧ୍ୟ ପଡିଛି, ଯେଉଁଥିରେ ସେନସେକ୍ସ ୪,୦୦୦ରୁ ଅଧିକ ପଏଣ୍ଟ ଏବଂ ନିଫ୍ଟି ୧,୦୦୦ରୁ ଅଧିକ ପଏଣ୍ଟ ଖସିଛି। ଆଇଟି, ଫାର୍ମା, ଧାତୁ ସହିତ ପ୍ରାୟ ସମସ୍ତ କ୍ଷେତ୍ରରେ ବିକ୍ରୟ ଚାପ ଦେଖାଦେଇଛି।
ଆମେରିକାରେ ଟ୍ରମ୍ପଙ୍କ ନୂତନ ଟାରିଫ୍ ଘୋଷଣା ପରେ ବିଶ୍ଵର ପ୍ରମୁଖ ଷ୍ଟକ୍ ବଜାରଗୁଡିକ ଲାଲ ଲାଲ ହୋଇଯାଇଛି। ଏସିଆରେ ହଂକଂର ହାଙ୍ଗ ସେଙ୍ଗ୍ ୧୦%ରୁ ଅଧିକ, ଜାପାନର ନିକ୍କେଇ ୭%ରୁ ଅଧିକ ଏବଂ ଦକ୍ଷିଣ କୋରିଆର କୋସ୍ପି ୫%ରୁ ଅଧିକ ଖସିଛି। ଅଷ୍ଟ୍ରେଲିଆର ଷ୍ଟକ୍ ବଜାର ମଧ୍ୟ ୬%ରୁ ଅଧିକ ହ୍ରାସ ପାଇଛି।
ସୋମବାର ଦିନ ଭାରତୀୟ ଷ୍ଟକ୍ ବଜାର ଖୋଲିବା ସହିତ ହଠାତ୍ ଖସିଯାଇଥିଲା। ସେନସେକ୍ସ ୩,୯୩୯.୬୮ ପଏଣ୍ଟ ଖସି ୭୧,୪୨୫.୦୧ରେ ଏବଂ ନିଫ୍ଟି ୧,୧୬୦.୮୦ ପଏଣ୍ଟ ଖସି ୨୧,୭୪୩.୬୫ରେ ପହଞ୍ଚିଥିଲା। ଏହା କୋଭିଡ୍ ମହାମାରୀ ପରେ ଭାରତୀୟ ବଜାରରେ ସବୁଠାରୁ ବଡ଼ ପତନ ବୋଲି କୁହାଯାଉଛି। ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ମାର୍କେଟ୍ କ୍ୟାପିଟାଲାଇଜେସନ୍ ମାତ୍ର ୧୦ ସେକେଣ୍ଡରେ ୧୯ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି।
ଆମେରିକା ଉପରେ ନିର୍ଭର କରୁଥିବା ଆଇଟି କମ୍ପାନୀଗୁଡିକ ୭%ରୁ ଅଧିକ ଖସିଛନ୍ତି। ଫାର୍ମା ସେକ୍ଟରରେ ମଧ୍ୟ ବିକ୍ରୟ ଚାପ ଦେଖାଦେଇଛି। ସମୁଦାୟ ୧୩ଟି ପ୍ରମୁଖ ସେକ୍ଟରରେ ହ୍ରାସ ରେକର୍ଡ କରାଯାଇଛି।
ଆମେରିକାର ନୂତନ ଟାରିଫ୍ ପ୍ରୟୋଗ ପରେ ଚୀନ୍, କାନାଡା ଏବଂ ଅନ୍ୟ ଦେଶଗୁଡିକ ମଧ୍ୟ ପ୍ରତିଶୁଳ୍କ ଲଗାଇବା ଘୋଷଣା କରିଛନ୍ତି। ଏହାଦ୍ୱାରା ବିଶ୍ଵ ବାଣିଜ୍ୟ ଯୁଦ୍ଧର ଆଶଙ୍କା ବଢିଛି। ବିଶ୍ଳେଷକମାନେ କହୁଛନ୍ତି ଯେ, ଏହି ପରିସ୍ଥିତି ଯଦି ଜାରି ରହେ, ତେବେ ବିଶ୍ଵ ଅର୍ଥନୀତି ମାନ୍ଦାବସ୍ଥାକୁ ଯାଇପାରେ।
ନିବେଶକମାନେ ଏବେ ନିଜ ଇକ୍ୱିଟି ହୋଲ୍ଡିଂକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରୁଛନ୍ତି। ବିଶ୍ଵ ବାଣିଜ୍ୟ ଯୁଦ୍ଧ ଏବଂ ଅର୍ଥନୈତିକ ଅନିଶ୍ଚିତତା ଯୋଗୁଁ ଷ୍ଟକ୍ ବଜାରରେ ଆଉ କିଛି ଦିନ ଚାପ ରହିପାରେ। ବିଶ୍ଳେଷକମାନେ ସୁଚନା ଦେଇଛନ୍ତି ଯେ ନିବେଶକମାନେ ସତର୍କତା ଅବଲମ୍ବନ କରନ୍ତୁ।