ଜୟପୁର ବୋମା ବିସ୍ଫୋରଣ ମାମଲା: ୪ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
ଜୟପୁର (ସଂକେତ ଟିଭି): ରାଜସ୍ଥାନର ରାଜଧାନୀ ଜୟପୁରରେ ୨୦୦୮ ମସିହାରେ ଘଟିଥିବା ସିରିଆଲ ବୋମା ବିସ୍ଫୋରଣ ମାମଲାରେ ସମସ୍ତ ୪ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଏହି ମାମଲାରେ ସ୍ବତନ୍ତ୍ର ନ୍ୟାୟାଳୟ ୬୦୦ ପୃଷ୍ଠାର ଏକ ବିସ୍ତୃତ ରାୟ ଦେଇଛନ୍ତି।
୧୩ ମଇ, ୨୦୦୮ରେ ଜୟପୁରରେ ଲଗାତାର ୮ଟି ବୋମା ବିସ୍ଫୋରଣ ଘଟିଥିଲା। ଏହାପରେ ଚାନ୍ଦପୋଲ ବଜାରରେ ଏକ ସକ୍ରିୟ ବୋମା ମିଳିଥିଲା, ଯାହାକୁ ବିସ୍ଫୋରଣ ଘଟିବାର ମାତ୍ର ୧୫ ମିନିଟ୍ ପୂର୍ବରୁ ନିଷ୍କ୍ରିୟ କରାଯାଇଥିଲା। ଏହି କାର୍ଯ୍ୟ ଅନେକଙ୍କ ଜୀବନ ବଞ୍ଚାଇଥିଲା।
ସ୍ବତନ୍ତ୍ର ନ୍ୟାୟାଳୟ ସୈଫୁରରହମାନ, ମହମ୍ମଦ ସୈଫ, ମହମ୍ମଦ ସରୱାର ଆଜମୀ ଏବଂ ଶାହବାଜ ଅହମଦଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଚାରିଜଣଙ୍କୁ ଭାରତୀୟ ଦଣ୍ଡ ସଂହିତା (IPC) ଅଧୀନରେ ୪ଟି ଧାରା, UAPA ଅଧୀନରେ ୨ଟି ଧାରା ଏବଂ ବିସ୍ଫୋରକ ଆଇନ ଅନୁସାରେ ୩ଟି ଧାରାରେ ଦୋଷୀ ପ୍ରମାଣିତ କରାଯାଇଛି। ନ୍ୟାୟାଳୟ IPC ଧାରା 120 B, 121 A, 124 A, 153 A ଏବଂ 307 ସହିତ UAPA ଧାରା 13 ଓ 18 ଅନୁଯାୟୀ ଦଣ୍ଡ ଦେଇଛନ୍ତି।
ଉଲ୍ଲେଖନୀୟ ଯେ, ୧୭ ବର୍ଷ ପୂର୍ବେ ୨୦୦୮ ମସିହାରେ ଜୟପୁରରେ ଏହି ଭୟଙ୍କର ବୋମା ବିସ୍ଫୋରଣ ଘଟିଥିଲା। ଚାନ୍ଦପୋଲ ଅଞ୍ଚଳରେ ଥିବା ରାମଚନ୍ଦ୍ର ମନ୍ଦିର ନିକଟରେ ଏକ ସକ୍ରିୟ ବୋମା ମିଳିଥିଲା। ମାମଲାର ଶୁଣାଣି ଶେଷ ହେବା ପରେ ନ୍ୟାୟାଳୟ ୨୯ ମାର୍ଚ୍ଚକୁ ରାୟ ଦିନ ଭାବରେ ନିର୍ଦ୍ଧାରଣ କରିଥିଲେ, ମାତ୍ର ସେତେବେଳେ ରାୟ ଦିଆଯାଇ ନଥିଲା। ଆଜି ଶେଷରେ ଏହି ଐତିହାସିକ ରାୟ ଦିଆଯାଇଛି।