CrimeFeaturedLatestNews

ଜୁଏଲାରୀ ଦୋକାନୀଙ୍କ ଘରେ ପଶି ୧୨ ଲକ୍ଷ ଟଙ୍କା ଗହଣା ଓ ନଗଦ ଟଙ୍କ ଲୁଟ୍

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଆଙ୍ଗୁଳା ଗ୍ରାମରେ ଜଣେ ସୁନା ଦୋକାନୀଙ୍କ ଘରେ ଆଠ ଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ର ସହ ପ୍ରବେଶ କରି ୧୨ ଲକ୍ଷ ଟଙ୍କାର ମୂଲ୍ୟବାନ ଗହଣା ଓ ନଗଦ ଟଙ୍କା ଲୁଟ କରିଛନ୍ତି। ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣ ହେଲେ ବଗୁଡ଼ି ବଜାରସ୍ଥିତ ସନ୍ତୋଷୀ ଜୁଏଲାରୀ ମାଲିକ ଗୋପାଳ ଚନ୍ଦ୍ର ମହାରଣା ।

ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଦୁର୍ବୃତ୍ତମାନେ ଘରର ଗ୍ରିଲ ଭାଙ୍ଗି ଭିତରକୁ ପଶିଥିଲେ। ଘରୋଇ ସଦସ୍ୟଙ୍କୁ ଗାମୁଛାରେ ବାନ୍ଧି ଧାରୁଆ ଅସ୍ତ୍ର ଦେଖାଇ ଭୟଭୀତ କରାଇବା ପରେ ସେମାନେ ଲୁହା ଛଡ଼ିରେ ମାଡ଼ ମାରି ୭ ଲକ୍ଷ ଟଙ୍କାର ଗହଣା ଏବଂ ୫ ଲକ୍ଷ ଟଙ୍କା ନଗଦ ଲୁଟି ନେଇଯାଇଛନ୍ତି। ଘଟଣା ସମୟରେ ଗୋପାଳଙ୍କ ସ୍ତ୍ରୀ ଅନିତା ରଣା ଓ ପୁଅ ମଧ୍ୟ ଉପସ୍ଥିତ ଥିଲେ।

ଘଟଣା ପରେ ଗୋପାଳଙ୍କ ପତ୍ନୀ ଅନିତା ରଣା ସୋର ଥାନାରେ ଅଭିଯୋଗ ଦାଖଲ କରିଛନ୍ତି। ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୋର ପୋଲିସ କହିଛି ଯେ ସିସିଟିଭି ଫୁଟେଜ୍ ଓ ସାକ୍ଷ୍ୟ ଆଧାରରେ ଅପରାଧୀଙ୍କୁ ଶୀଘ୍ର ଗିରଫ କରାଯିବ।

ଏହି ଘଟଣା ପରେ ସୋର ଅଞ୍ଚଳରେ ଆତଙ୍କ ଛାଇଯାଇଛି। ସ୍ଥାନୀୟ ବାସିନ୍ଦାମାନେ ପୁଲିସର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ କିଛି ମାସରେ ଏହି ଅଞ୍ଚଳରେ ଏପରି ଅନେକ ଲୁଟ୍ ଘଟଣା ଘଟିଥିବା ଦାବି କରାଯାଇଛି।