FeaturedLatestNews

ଏବର୍ଷ ସଠିକ୍‌ ସମୟରେ ଓଡ଼ିଶାକୁ ଆସିବ ମୌସୁମୀ

ଭୁବନେଶ୍ୱର (ସଂକେତ ଟିଭି): ଏବର୍ଷ ସଠିକ୍‌ ସମୟରେ ମୌସୁମୀ ଓଡ଼ିଶାକୁ ଆସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଜୁନ୍ ମାସରେ ଭଲ ବର୍ଷା ହେବା ସହିତ ଚାଷ କାର୍ଯ୍ୟ ପାଇଁ ଅନୁକୂଳ ପରିସ୍ଥିତି ରହିବ ବୋଲି ଆଶା କରାଯାଉଛି। ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ସାଧାରଣତଃ ପ୍ରଥମ ମାସରେ ଅଳ୍ପ ବର୍ଷା ହେତୁ ଚାଷ ଆରମ୍ଭ ବିଳମ୍ବ ହୁଏ, କିନ୍ତୁ ଏବର୍ଷ ଜୁନ୍ ମାସରେ ଭଲ ବର୍ଷା ହେବ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏବର୍ଷ ଓଡ଼ିଶାରେ ମୌସୁମୀ ସମୟୋଚିତ ଭାବରେ ଆସିବ। ଏପ୍ରିଲ୍ ମାସରେ ସମୁଦ୍ର ପୃଷ୍ଠର ତାପମାତ୍ରା ସାଧାରଣ ଅବସ୍ଥାରେ ରହିଥିବା ବେଳେ, ଜୁନ୍ ମାସ ପର୍ଯ୍ୟନ୍ତ ଏହା +୦.୫ ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ତାପମାତ୍ରା ୦.୮ ଡିଗ୍ରୀରୁ ଅଧିକ ହେବାର ସମ୍ଭାବନା ୪୦%ରୁ କମ୍ ରହିଛି। ଏହା ଫଳରେ ମୌସୁମୀ ବର୍ଷା ସାଧାରଣ ରହିବ।

ଏବେ ପର୍ଯ୍ୟନ୍ତ ଏଲ୍ ନିନୋ ପ୍ରଭାବ କମ୍ ରହିଛି, ଯାହା ମୌସୁମୀ ବର୍ଷାକୁ ପ୍ରତିକୂଳ ଭାବରେ ପ୍ରଭାବିତ କରେ। ଅନ୍ୟ ଏକ ମୁଖ୍ୟ କାରକ ଇଣ୍ଡିଆନ୍ ଓସେନ୍ ଡାଇପୋଲ୍ (ଆଇଓଡି) ଏପ୍ରିଲ୍ ମାସରେ +୦.୪ ଡିଗ୍ରୀ ରହିଥିବା ବେଳେ, ଅଗଷ୍ଟ-ସେପ୍ଟେମ୍ବର ମାସ ଆଡ଼କୁ -୦.୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ। ଆଇଓଡି ଯଦି ସକାରାତ୍ମକ ରହେ, ତେବେ ମୌସୁମୀ ବର୍ଷା ଭଲ ହୁଏ।

ପ୍ରଫେସର ପଶୁପାଳକ କହିଛନ୍ତି ଯେ, ଏପ୍ରିଲ୍ ମାସରେ ସାଧାରଣଠାରୁ ଅଧିକ ବର୍ଷା ହୋଇପାରେ, ମେ ଓ ଜୁନ୍ ମାସରେ ସାଧାରଣ ବର୍ଷା ହେବ, କିନ୍ତୁ ଜୁଲାଇ ମାସରେ ସାଧାରଣଠାରୁ ଟିକେ କମ୍ ବର୍ଷା ହେବା ସମ୍ଭାବନା ରହିଛି। ତଥାପି, ଜୁନ୍ ମାସରେ ମୌସୁମୀ ସମୟୋଚିତ ଭାବରେ ଆସିବ ବୋଲି ଆଶା କରାଯାଉଛି। ତେଣୁ ଚାଷୀମାନେ ଏହି ଆକଳନ ଅନୁଯାୟୀ ଚାଷ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ।