ପୋଷ୍ଟମାଷ୍ଟରଙ୍କ ଘରୁ ୫ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟ୍
ବାଲେଶ୍ବର: (ସଂକେତ ଟିଭି) ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଟେଣ୍ଟେଇ ଗ୍ରାମରେ ପୋଷ୍ଟମାଷ୍ଟର ବଟକୃଷ୍ଣ ମଲିକଙ୍କ ଘରୁ ରାତିରେ ପାଞ୍ଚ ଲକ୍ଷ ଟଙ୍କା ନଗଦ ଏବଂ ପାଞ୍ଚ ଭରି ସୁନା ଗହଣା ଲୁଟି ନେଲେ ଦୁର୍ବୁତ୍ତ। ଘଟଣାଟି ଗତ ରାତିରେ ଘଟିଥିଲା।
ରାତି ପ୍ରାୟ ୨ଟା ସମୟରେ ଚାରିଜଣ ଅଜ୍ଞାତ ଯୁବକ ଘର ପଛପଟେ ଥିବା କବାଟ ଭାଙ୍ଗି ଭିତରକୁ ପଶିଥିଲେ। ସେମାନେ ପ୍ରଥମେ ବଟକୃଷ୍ଣ ଓ ତାଙ୍କ ପତ୍ନୀ ସୁରତି ମଲିକଙ୍କ ହାତଗୋଡ଼ ବାନ୍ଧିଦେଇ ଭୟଭୀତ କରିଥିଲେ। ପରେ ସେମାନେ ଝିଅ ସୁନନ୍ଦାଙ୍କ ବେକରେ ଛୁରୀ ଲଗାଇ ଧମକ ଦେଇ ଆଲମାରି ଚାବି ମାଗିଥିଲେ। ଚୋରମାନେ ଘରେ ଥିବା ୫ ଲକ୍ଷ ଟଙ୍କା ନଗଦ, ଗୋଟିଏ ସୁନା ହାର, ଦୁଇହଳ କାନଫୁଲ, ଗୋଟିଏ ସୁନା ଚେନ୍ ଏବଂ ଦୁଇହଳ ପାଉଁଜି ଲୁଟି ନେଇଯାଇଛନ୍ତି।
ଘଟଣା ପରେ ବଟକୃଷ୍ଣ ସୋର ଥାନାରେ ଅଭିଯୋଗ କରିଛନ୍ତି। ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହାପୂର୍ବରୁ ଗତ ସପ୍ତାହରେ ସୋର ବାଗୁଡ଼ି ରାସ୍ତାରେ ଗହଣା ଦୋକାନ ଲୁଣ୍ଠନ ଘଟିଥିଲା, ମାତ୍ର ପୋଲିସ କୌଣସି ଗୁରୁତ୍ୱପୂର୍ଣ୍ଣ ସୁରାଗ ପାଇନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି।