ଓଡ଼ିଆ ନୂତନବର୍ଷ କ୍ୟାଲେଣ୍ଡର ଉନ୍ମୋଚିତ
ଭୁବନେଶ୍ୱର: (ସଂକେତ ଟିଭି) ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ଓଡ଼ିଆ ନୂତନବର୍ଷ କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଛି। ଏହାପୂର୍ବରୁ ଏହି କ୍ୟାଲେଣ୍ଡର ମହାପ୍ରଭୁଙ୍କ ନିକଟରେ ଅର୍ପଣ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଷ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଶ୍ରୀମନ୍ଦିର ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଉପସ୍ଥିତ ଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ସହିତ ଅନ୍ୟମାନେ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ।
ଓଡ଼ିଆ ନବବର୍ଷ ଅବସରରେ ଶ୍ରୀମନ୍ଦିରର ପର୍ବପର୍ବାଣି ଓ ଯାତ୍ରା କ୍ୟାଲେଣ୍ଡର ପ୍ରକାଶିତ ହୋଇଛି। ପୂର୍ବେ ଏହି କ୍ୟାଲେଣ୍ଡର ମୁଦ୍ରଣ ପରେ ଦେବୀଦେବତାଙ୍କୁ ଅର୍ପଣ କରାଯାଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଏହାର ଲୋକାର୍ପଣ କରାଯାଇଛି। ପ୍ରଥମ ଥର ପାଇଁ ପ୍ରକାଶିତ ଶ୍ରୀମନ୍ଦିରର ସୁନ୍ଦର ସୂଚନା ପୁସ୍ତିକାର ମଧ୍ୟ ଲୋକାର୍ପଣ ହୋଇଛି।
ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜସ୍ୱ ମନ୍ତ୍ରୀ ସୁରେଷ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ଏବଂ ପୋଲିସ ଅଧୀକ୍ଷକଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ।
୨୦୨୫ ମସିହାର ମହାବିଷୁବ ସଂକ୍ରାନ୍ତିରୁ ୨୦୨୬ ମସିହାର ରାମାଭିଷେକ ନୀତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପାଳିତ ହେବାକୁ ଥିବା ସମସ୍ତ ପର୍ବପର୍ବାଣି ଓ ଯାତ୍ରା ଦିବସଗୁଡ଼ିକର ସୂଚନା ଏହି କ୍ୟାଲେଣ୍ଡରରେ ସ୍ଥାନ ପାଇଛି। ଶ୍ରୀମନ୍ଦିର ସେବକ ନିୟୋଗଗୁଡ଼ିକ, ମୁକ୍ତିମଣ୍ଡପ ଏବଂ ରାଜ୍ୟର ପ୍ରମୁଖ ପାଞ୍ଜିକାରଙ୍କ ସହ ବିସ୍ତୃତ ଆଲୋଚନା ପରେ ଏହି ତିଥିଗୁଡ଼ିକ ସ୍ଥିର କରାଯାଇଛି।
ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ସୂଚନା କେନ୍ଦ୍ରରେ ଏହି କ୍ୟାଲେଣ୍ଡର ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ କ୍ରୟ କରିବାର ସୁଯୋଗ ରହିଛି। ଓଡ଼ିଆ ନବବର୍ଷ ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭକ୍ତମାନଙ୍କୁ ଅଭିନନ୍ଦନ ଜଣାଇ ମହାପ୍ରଭୁଙ୍କ ପାଦପଦ୍ମରେ ସମସ୍ତଙ୍କ ପାଇଁ ଆଶୀର୍ବାଦ ପ୍ରାର୍ଥନା କରିଛନ୍ତି।