FeaturedLatestNewsPolitics

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ି ଦେଲେ ଯୁବକ, ବିଜେଡିର ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର (ସଂକେତ ଟିଭି): ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ପର୍ଶୁରାମ ଛକରେ ସ୍ଥାପିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଏକ ଯୁବକ ପୋଡ଼ି ଦେଇଥିବା ଘଟଣାରେ ବିଜୁ ଜନତା ଦଳ (ବିଜେଡି) ତୀବ୍ର କ୍ଷୋଭ ପ୍ରକାଶ କରିଛି। ଘଟଣା ସ୍ଥଳରେ ପୋଲିସ୍ ଯୁବକକୁ ଅଟକ କରି ତଦନ୍ତ କରୁଛି। ସେପଟେ ବିଜେପି ରାଜ୍ୟ ବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଛି ।

ମଙ୍ଗଳବାର ସକାଳେ ପାଟଣାଗଡ଼ ନିକଟସ୍ଥ ବଥର୍ଲା ଗ୍ରାମର ଜଣେ ଯୁବକ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଉପରେ ନିଆଁ ଲଗାଇଥିଲେ। ପ୍ରତିମୂର୍ତ୍ତି ଜଳି ଯାଇଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ନିଆଁ ଲିଭାଇଥିଲେ। ପ୍ରାରମ୍ଭିକ ତଦନ୍ତରେ ଜଣାପଡିଛି ଯେ, ଅଭିଯୁକ୍ତ ଯୁବକ ଜଣେ ଦିବ୍ୟାଙ୍ଗ ଏବଂ ତାଙ୍କ ମାନସିକ ସ୍ଥିତି ସ୍ଥିର ନଥିବା କୁହାଯାଉଛି।

ଏହି ସ୍ଥାନରେ ପୂର୍ବରୁ ଭଗବାନ ପର୍ଶୁରାମଙ୍କ ଫଟୋ ରଖି ପୂଜା କରାଯାଉଥିଲା। ଗତ ଦୁଇ ବର୍ଷ ତଳେ ପୂର୍ବତନ ବିଧାୟକ ସରୋଜ ମେହେର ଏଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ, ଯାହାକୁ ନେଇ ସ୍ଥାନୀୟ ସ୍ତରରେ ବିବାଦ ସୃଷ୍ଟି ହୋଇଥିଲା। ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଅଛି।

ବିଜେଡି ନେତା ସଂଜୟ ଦାସବର୍ମା ଏହି ଘଟଣାକୁ “ଓଡ଼ିଆ ଜାତିର ସ୍ୱାଭିମାନ ପ୍ରତି ଆଘାତ” ବୋଲି କହିଛନ୍ତି। ସେ କହିଛନ୍ତି, “ବିଜୁ ବାବୁ କେବଳ ଜଣେ ରାଜନୈତିକ ନେତା ନୁହଁ, ସେ ସ୍ୱାଧୀନତା ସଂଗ୍ରାମୀ ଓ ଓଡ଼ିଶାର ଗୌରବ। ତାଙ୍କ ପ୍ରତିମୂର୍ତ୍ତି ପୋଡ଼ିବା ଏକ ଜଘନ୍ୟ ଅପରାଧ।” ସେ ପ୍ରଶାସନକୁ ଦୃତ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି।

ନେତୃବୃନ୍ଦର ମତ:

  • ଦେବାଶିଷ ସାମନ୍ତରାୟ (ସାଂସଦ): “ଏହା ଏକ ପ୍ରୟୋଜିତ ଘଟଣା। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହାର ତଦନ୍ତ କରନ୍ତୁ।”
  • ଦେବୀ ମିଶ୍ର (ବିଜେଡି ସମନ୍ଵୟକାରୀ): “ବିଜୁ ବାବୁଙ୍କ ସ୍ମୃତି ମିଟାଇବାର ଚେଷ୍ଟା ଚାଲିଛି। ଏହାକୁ ସହ୍ୟ କରାଯିବ ନାହିଁ।”
  • ପ୍ରତାପ ଜେନା (ବିଜେଡି ନେତା): “ପୂର୍ବରୁ ପଞ୍ଚାୟତିରାଜ ଦିବସ ଓ ବିଜୁ ବାବୁଙ୍କ ନାଁ ଯୋଜନାରୁ ହଟାଇବା ପରେ ଏବେ ଏହି ଘଟଣା ଘଟିଛି।”

ପୋଲିସ୍ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ବିଜେଡି ପକ୍ଷରୁ ଏହି ଘଟଣାର ତୀବ୍ର ନିନ୍ଦା କରାଯାଇ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ଲକ୍ଷ୍ୟ କରି ପ୍ରଶ୍ନ ଉଠାଯାଇଛି। ବିଜୁ ବାବୁଙ୍କ ତିରୋଧାନ ଦିବସ (୧୭ ଅପ୍ରେଲ) ପୂର୍ବରୁ ଏହି ଘଟଣା ସମ୍ପୃକ୍ତ ରାଜନୈତିକ ଦଳଗୁଡିକର ପ୍ରତିକ୍ରିୟା ଆହୁରି ତୀବ୍ର ହୋଇପାରେ।