ବିକ୍ରି ହେବ ହ୍ୱାଟ୍ସଆପ୍ ଏବଂ ଇନଷ୍ଟାଗ୍ରାମ
ମୁମ୍ବାଇ (ସଂକେତ ଟିଭି): ସୋସିଆଲ ମିଡିଆ ଆପ୍ ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ୍କୁ ନେଇ ଏକ ବଡ଼ ଖବର ଚର୍ଚ୍ଚାରେ ରହିଛି। ଏହି ଦୁଇଟି ଆପ୍ର ମାଲିକ ମାର୍କ ଜୁକରବର୍ଗ ଏକ ଅଡୁଆରେ ଫସିଯାଇଛନ୍ତି ବୋଲି ଜଣାପଡ଼ିଛି। ସୂତ୍ରମାନଙ୍କ ଅନୁସାରେ, ଯଦି କୋର୍ଟ ତାଙ୍କ ବିରୋଧରେ ରାୟ ଦେବ, ତେବେ ତାଙ୍କୁ ହ୍ୱାଟ୍ସଆପ୍ ଏବଂ ଇନଷ୍ଟାଗ୍ରାମକୁ ବିକ୍ରି କରିବାକୁ ପଡ଼ିପାରେ।
ଏହା ପୂର୍ବରୁ ୨୦୨୦ରେ ଫେସବୁକ୍ (ବର୍ତ୍ତମାନ ମେଟା) ବିରୁଦ୍ଧରେ ପ୍ରତିଯୋଗିତା ବିରୋଧୀ ଅଭିଯୋଗରେ ଏକ ମାମଲା ଦାୟର ହୋଇଥିଲା। ଏବେ ପୁଣି ସେହି ମାମଲା କୋର୍ଟ ଆଡ଼କୁ ଯାଇଛି। ମେଟା ଉପରେ ଅଭିଯୋଗ ଅଛି ଯେ ସେମାନେ ୨୦୧୨ରେ ଇନଷ୍ଟାଗ୍ରାମକୁ ୧୦୦ କୋଟି ଡଲାରରେ ଏବଂ ୨୦୧୪ରେ ହ୍ୱାଟ୍ସଆପ୍କୁ ୨୨୦୦ କୋଟି ଡଲାରରେ କିଣି ନେଇ ବଜାରରେ ପ୍ରତିଯୋଗିତାକୁ ନଷ୍ଟ କରିଦେଇଛନ୍ତି। ଏହାଦ୍ୱାରା ଛୋଟ କମ୍ପାନୀମାନଙ୍କ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବା କଷ୍ଟକର ହୋଇଯାଇଛି।
ମାର୍କ ଜୁକରବର୍ଗ ପୂର୍ବରୁ କହିଥିଲେ ଯେ ପ୍ରତିଯୋଗୀମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପରିବର୍ତ୍ତେ ସେମାନଙ୍କୁ କିଣିନେବା ଏକ ଭଲ ଉପାୟ। ଏହି ମନ୍ତବ୍ୟ ତାଙ୍କ ବିରୋଧରେ ଯାଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ୍ର ପ୍ରଭାବ ଏତେ ଅଧିକ ଯେ ଅନ୍ୟ କୌଣସି ପ୍ଲାଟଫର୍ମ ପାଇଁ ସେମାନଙ୍କ ସହିତ ଟକ୍କର ଦେବା କଷ୍ଟକର ହୋଇଯାଇଛି।
ଯଦି କୋର୍ଟ ମେଟାକୁ ଏହି ଆପ୍ଗୁଡ଼ିକୁ ବିକ୍ରି କରିବାକୁ ବାଧ୍ୟ କରେ, ତେବେ ସୋସିଆଲ ମିଡିଆ ଜଗତରେ ଏକ ବଡ଼ ପରିବର୍ତ୍ତନ ଆସିପାରେ। ଏହି ମାମଲାର ଚୁକ୍ତି କ’ଣ ହେବ, ସେଥିପାଇଁ ସମସ୍ତେ କୋର୍ଟର ଚୂଡ଼ାନ୍ତ ନିଷ୍ପତ୍ତି ଆଡ଼କୁ ଚାହିଁ ରହିଛନ୍ତି।