ଭଦ୍ରକରେ ଡିଜେ ଗାଡ଼ିରେ ବିଦ୍ୟୁତ୍ ସଂସ୍ପର୍ଶ: ୨ ଜଣର ମୃତ୍ୟୁ, ୧୦ ଗୁରୁତର
ଭଦ୍ରକ (ସଂକେତ ଟିଭି): ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ୍ ଅନ୍ତର୍ଗତ ନୟାନନ୍ଦ ପଞ୍ଚାୟତର ବଡ଼ହାଟୁଆରି ଗାଁରେ ଗତକାଲି ସନ୍ଧ୍ୟାରେ ଏକ ମାର୍ମିକ ଅଘଟଣ ଘଟିଛି । ପାଟୁଆ ଶୋଭାଯାତ୍ରା ସମୟରେ ଡିଜେ ଗାଡ଼ି ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଦୁଇ ଜଣ ଜୀବନ୍ତେ ଜଳି ମୃତ୍ୟୁ ବରଣ କରିଛନ୍ତି, ଅନ୍ୟ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ନାମ ମାନସ ମଲ୍ଲିକ (୨୦) ଓ ଶରତ (କାହ୍ନୁଆ) ମହାଳିକ (୨୭) । ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁମାନେ ଅଧିକ ସଂଖ୍ୟାରେ ଅଛନ୍ତି ।
ମା’ କାଣ୍ଟି ମଙ୍ଗଳା ପୀଠର ବାର୍ଷିକ ଉତ୍ସବ ଉପଲକ୍ଷେ ପାଟୁଆ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଡିଜେ ଗାଡ଼ି ସହ ଶୋଭାଯାତ୍ରା ଚାଲିଥିବା ବେଳେ ତୋରଣପଦା ଛକରେ କିଛି ଯୁବକ ଗାଡ଼ି ଉପରେ ଚଢ଼ି ପତାକା ଉଡ଼ାଉଥିଲେ । ଏହି ସମୟରେ ଡିଜେ ଗାଡ଼ି ଉଚ୍ଚ ଭୋଲ୍ଟେଜ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ହାହାକାର ପଡ଼ିଯାଇଥିଲା ଏବଂ ଲୋକେ ଆତଙ୍କିତ ହୋଇ ଚାରିଆଡେ ଦୌଡ଼ିବାକୁ ଲାଗିଥିଲେ । ମାନସ ଓ ଶରତ ସମୟସୁଚିତ ଭାବେ ରକ୍ଷା ପାଇପାରିନଥିଲେ ।
ଘଟଣା ପରେ ଆହତଙ୍କୁ ଭଦ୍ରକ ଜିଲ୍ଲା ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଥିରେ ଦୁଇ ଜଣଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ, ଏସପି, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପହଞ୍ଚି ଆହତଙ୍କୁ ସାନ୍ତ୍ୱନା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି ଏବଂ ଡିଜେ ସଂପର୍କିତ ସାମଗ୍ରୀ ଜବତ କରିଛି । ମାତ୍ର, ଡିଜେ ଗାଡ଼ି ଓ ମେସିନ୍ ପଶ୍ଚିମବଙ୍ଗକୁ ଫେରି ଯାଇଥିବାରୁ ପୋଲିସ ତାହା ଜବତ କରିବାକୁ ଚେଷ୍ଟା କରୁଛି ।
ଏହି ଘଟଣା ପରେ ପୁନର୍ବାର ଡିଜେ ବ୍ୟବହାର ଓ ନିୟମ ପାଳନକୁ ନେଇ ପ୍ରଶ୍ନ ଉଠିଛି । ସୁପ୍ରିମକୋର୍ଟ ଡିଜେ ବାଜିବା ଉପରେ ବ୍ୟାନ୍ ଜାରି କରିଥିଲେ ମଧ୍ୟ, ଏହା ପାଳନ ହେଉନାହିଁ । ଏଠାରେ ପ୍ରଶ୍ନ ଉଠୁଛି ଯେ, ଯଦି ଏତେ ବଡ଼ ଆୟୋଜନ ପୋଲିସ ଜାଣିନଥିଲେ କାହିଁକି? ଡିଜେ ବିନା ଅନୁମତିରେ ଚାଲୁଥିବା ସତ୍ତ୍ୱେ ପୋଲିସ କାର୍ଯ୍ୟାନୁଷ୍ଠାନ କରିନଥିଲା କାହିଁକି? ଜିଲ୍ଲାପାଳ ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।