FeaturedLatestNews

ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ୩୪୫ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର

କଟକ (ସଂକେତ ଟିଭି): କାକଟପୁର ମା’ ମଙ୍ଗଳାଙ୍କ ପୀଠ ନୂଆ ରୂପ ପାଇବ । ରାଜ୍ୟ ସରକାର ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ୩୪୫ କୋଟି ଟଙ୍କା ଖର୍ଚ୍ଚ କରିବେ । ଏଥିପାଇଁ ଡିପିଆର ପ୍ରସ୍ତୁତ କରାଯାଇଛି । ସେହିପରି ମା’ ମଙ୍ଗଳା ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ଆଉଏକ ଡିପିଆର୍ ପ୍ରସ୍ତୁତ ହୋଇଛି, ଯାହାକୁ ୧୨୨ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି ।

ଆଜି କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଅନୁଷ୍ଠିତ ହେଉଛି । ଚୈତ୍ରମାସର ପ୍ରତ୍ୟେକ ମଙ୍ଗଳବାର ମା’ ମଙ୍ଗଳାଙ୍କ ମନ୍ଦିରରେ ଚୈତ୍ର ପର୍ବ ପାଳିତ ହୋଇଥାଏ, କିନ୍ତୁ ବୈଶାଖ ମାସର ପ୍ରଥମ ମଙ୍ଗଳବାରରେ ଝାମୁ ଯାତ୍ରା ଆୟୋଜିତ ହୁଏ । ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମନ୍ଦିର ପରିସରରେ ପହଞ୍ଚି ମା’ଙ୍କୁ ଦର୍ଶନ କରିଥିଲେ ।

ସେ କହିଛନ୍ତି, “ମା’ଙ୍କୁ ବିଶ୍ୱ କଲ୍ୟାଣ ପାଇଁ ପ୍ରାର୍ଥନା କରିଛି, ମା’ଙ୍କ ଉପରେ ମୋର ଗଭୀର ବିଶ୍ୱାସ ରହିଛି ।” ଏହି ପର୍ବକୁ ଲକ୍ଷ୍ୟ କରି ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼ ଦେଖାଯାଇଛି । ମା’ ମଙ୍ଗଳାଙ୍କ ପୀଠର ନୂତନୀକରଣ ଏବଂ ପ୍ରାଚୀ ନଦୀର ପୁନରୁଦ୍ଧାର ଯୋଜନା ଅଞ୍ଚଳର ଧାର୍ମିକ ଏବଂ ପର୍ଯ୍ୟଟନ ମାନଚିତ୍ରକୁ ବଦଳାଇବ ବୋଲି ଆଶା କରାଯାଉଛି ।