ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ପାଇଁ ସୁଧମୁକ୍ତ ଋଣ ଯୋଜନାକୁ ଜାରି ରଖିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସ୍ତାବକୁ ଅନୁମୋଦନ ଦେଇ ଏହାକୁ ୨୦୨୫-୨୬ ଆର୍ଥିକ ବର୍ଷ ଏବଂ ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ବିସ୍ତାରିତ କରିଛନ୍ତି।
ପୂର୍ବରୁ, ଏହି ସୁଧମୁକ୍ତ ଋଣ ଯୋଜନା ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଜାରି ରଖାଯାଇଥିଲା। ମାତ୍ର ମଙ୍ଗଳବାର ନୂତନ ନିଷ୍ପତ୍ତି ଅନୁସାରେ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ପଦକ୍ଷେପ ରାଜ୍ୟରେ ମହିଳା ଉଦ୍ୟୋଗୀ ଏବଂ ଲକ୍ଷପତି ଦିଦିମାନଙ୍କ ସୃଷ୍ଟିରେ ସହାୟକ ହେବ।
ଏହା ସହିତ, ମହିଳାଙ୍କ ଅଂଶଗ୍ରହଣ ଜରିଆରେ ରାଜ୍ୟର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଅର୍ଥନୀତି ଅଧିକ ସୁଦୃଢ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହି ଯୋଜନା ଗ୍ରାମୀଣ ଓ ସାମାଜିକ ଅର୍ଥନୀତିରେ ମହିଳାଙ୍କ ଭୂମିକାକୁ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ଗ୍ରହଣ କରାଯାଇଛି।