ଅଙ୍ଗନବାଡ଼ିରେ ବେକରେ ଦଉଡ଼ି ଲଗେଇ ଜୀବନ ହାରିଲେ ପଞ୍ଚମ ଶ୍ରେଣୀ ଛାତ୍ରୀ
ବାରିପଦା (ସଂକେତ ଟିଭି): ମୟୁରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଧୀନ ପଦ୍ମନାଭପୁର ଗ୍ରାମର ଲକ୍ଷ୍ମୀଧର ସାହୁଙ୍କ ଏକମାତ୍ର ଝିଅ ଅମ୍ରିତା (୧୦) ଆଜି ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛି। ଘଟଣାଟି ଗ୍ରାମର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଘଟିଥିବା ବେଳେ ସ୍ଥାନୀୟ ଲୋକଙ୍କ ମନରେ ଏହାକୁ ନେଇ ସନ୍ଦେହ ରହିଛି।
ଅମ୍ରିତା ବର୍ତ୍ତମାନ କାଠସିଂଗଡ଼ା ସ୍ଥିତ ନିଜ ମାମୁଘରେ ରହି ପାଠପଢା କରୁଥିଲା। ତା’ର ପରିବାର ସହିତ ମନୋମାଳିନ୍ୟ ଥିବାରୁ ମା’ ଫୁଲମଣୀ ତାକୁ ନେଇ ମାମୁଘରେ ରଖିଥିଲେ। ଗତକାଲି ସନ୍ଧ୍ୟାରେ ଅମ୍ରିତାର ମାମୁ ତାଙ୍କ ପରିବାର ସହିତ ମହୁରୀ ଉଡ଼ା ଦେଖିବାକୁ ଆସିଥିଲେ ଏବଂ ଫେରିବା ସମୟରେ ଅମ୍ରିତାକୁ ସାଙ୍ଗରେ ନେଇଯିବାକୁ କହିଥିଲେ। କିନ୍ତୁ ଅମ୍ରିତା ଯିବାକୁ ମନା କରିଦେଇଥିଲା। ତା’ପରେ ତା’ର ଜେଜେମା ଓ ମାମୁ ତାକୁ ଟିଉସନ୍ ଏବଂ ସ୍କୁଲ ଯିବାକୁ କହି ମାମୁଘରକୁ ପଠାଇଦେଇଥିଲେ।
ଆଜି ସକାଳେ ସ୍କୁଲ ଯାଉଛି ବୋଲି ସାଇକେଲରେ ବାହାରି ଅମ୍ରିତା ସିଧାସଳଖ ପଦ୍ମନାଭପୁରରେ ଥିବା ଜେଜେମା ବିଜୟଲକ୍ଷ୍ମୀଙ୍କ ଘରକୁ ଫେରିଆସିଥିଲା। ଜେଜେମାଙ୍କୁ ଘରେ ନପାଇ ସେ ଅଙ୍ଗନବାଡ଼ି କେନ୍ଦ୍ର ପାଖରେ ପହଞ୍ଚିଥିଲା। ବିଜୟଲକ୍ଷ୍ମୀ ତାକୁ ପୁଣି କାହିଁକି ଫେରିଆସିଲା ବୋଲି ତାଗିଦ କରିଥିଲେ। ପରେ ବିଜୟଲକ୍ଷ୍ମୀ ଅଙ୍ଗନବାଡ଼ିର ଶିଶୁଙ୍କୁ ଖାଇବା ଦେଇ ଜଣେ ପିଲାକୁ ଘରେ ଛାଡ଼ିବାକୁ ଯାଇଥିଲେ। ସେତେବେଳେ ଅମ୍ରିତା ଏକୁଟିଆ ଅଙ୍ଗନବାଡ଼ି ଘରେ ଥିଲା। ମାତ୍ର ୫ ମିନିଟ୍ ପରେ ବିଜୟଲକ୍ଷ୍ମୀ ଫେରିଆସି ଦେଖିଲେ ଯେ ଅମ୍ରିତା ଫ୍ୟାନର ହୁକରେ ଲଟକି ଝୁଲୁଛି। ସେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ, କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଦେଇଥିଲେ।
ଅମ୍ରିତାର ପିତା ଲକ୍ଷ୍ମୀଧର ସାହୁ ଓ ମା’ ଫୁଲମଣୀଙ୍କ ମଧ୍ୟରେ ବିବାଦ ଥିବାରୁ ଫୁଲମଣୀ ଦୁଇଟି ସନ୍ତାନଙ୍କୁ ନେଇ ପଦ୍ମନାଭପୁରରେ ଥିବା ଜେଜେମା ବିଜୟଲକ୍ଷ୍ମୀଙ୍କ ଘରେ ରହୁଥିଲେ। ଅମ୍ରିତା ପାଠପଢା ପ୍ରତି ଅଳ୍ପ ଆଗ୍ରହୀ ଥିବାରୁ ତା’ର ମା’ ତାକୁ ମାମୁଘରେ ରଖିଦେଇଥିଲେ। ଏବର୍ଷ ସେ ପଞ୍ଚମ ଶ୍ରେଣୀ ପାସ୍ କରିଥିଲା।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବୈଶିଙ୍ଗା ଡାକ୍ତରଖାନାରେ ଅପମୃତ୍ୟୁ ମାମଲା ଦର୍ଜ କରାଯାଇଛି ଏବଂ ଶବ ବ୍ୟବଛେଦ ପାଇଁ ପଠାଯାଇଛି। ସ୍ଥାନୀୟ ଲୋକଙ୍କ ମତରେ, ୧୦ ବର୍ଷର ଏତେ ଛୋଟ ଝିଅ ନିଜେ ଆତ୍ମହତ୍ୟା କରିବାର ସମ୍ଭାବନା କମ୍। ଶବ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର ଠିକ୍ କାରଣ ଜଣାପଡିବ।