ବାଲେଶ୍ୱରରେ ଭୟଙ୍କର ବସ୍-ଟ୍ରକ୍ ଧକ୍କା: ୪୦ରୁ ଅଧିକ ଯାତ୍ରୀ ଆହତ
ବାଲେଶ୍ୱର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲାର ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର କଲେଜ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ସହିତ ଏକ ଦ୍ରୁତଗାମୀ ଟ୍ରକ୍ ମୁଖାମୁଖି ଧକ୍କା ହୋଇଥିବାରୁ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଟ୍ରକ୍ ଚାଳକ ମଧ୍ୟ ଗୁରୁତର ଭାବରେ ଆହତ ହୋଇଛନ୍ତି।
ଘଟଣାସ୍ଥଳ ସୂତ୍ରରୁ ଜଣାଯାଇଛି ଯେ, ଅଜୟ ନାମକ ଏକ ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ କୋଲକାତା ଯାତ୍ରା କରୁଥିଲା। ବସ୍ ଟି ୧୬ ନମ୍ବର ଜାତୀୟ ରାଜପଥରେ ଥିବା କଲେଜ ଛକ ନିକଟରେ ପହଞ୍ଚିବା ପରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହିତ ଧକ୍କା ଲାଗିଛି। ଟ୍ରକ୍ ଚାଳକ ଯାନବାହନର ନିୟନ୍ତ୍ରଣ ହରାଇଥିବାରୁ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣା ଖବର ପାଇବା ପରେ ସ୍ଥାନୀୟ ପୁଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ କାର୍ଯ୍ୟ ଆରମ୍ଭ କରିଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗରେ ବସ୍ ରେ ଥିବା ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ସମୀପସ୍ଥ ଡାକ୍ତରଖାନାକୁ ପଠାଯାଇଛି। ଟ୍ରକ୍ ଚାଳକ ରମେଶ ଚନ୍ଦ୍ର ପାଣ୍ଡେ (ବିହାରର ଆରା ଜିଲ୍ଲା ନିବାସୀ) ମଧ୍ୟ ଗୁରୁତର ଭାବରେ ଆହତ ହୋଇଥିବାରୁ ତାଙ୍କୁ ଜରୁରୀ ଚିକିତ୍ସା ଦିଆଯାଉଛି।