FeaturedLatestNews

ବାରିପଦାରେ ଏସସି-ଏସଟି ହବ୍ କନକ୍ଲେଭ୍ ଓ ପିଏମ୍ ବିଶ୍ବକର୍ମା କର୍ମଶାଳା ଉଦଘାଟିତ

ବାରିପଦା (ସଂକେତ ଟିଭି): ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ପରିସରରେ ଆଜି ଏସସି-ଏସଟି ହବ୍ କନକ୍ଲେଭ୍ ଏବଂ ପିଏମ୍ ବିଶ୍ବକର୍ମା ଜାତୀୟ କର୍ମଶାଳା ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଏମଏସଏମଇ ମନ୍ତ୍ରୀ ଜିତନ ରାମ ମାଝୀ, ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ଏମଏସଏମଇ, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଶିଳ୍ପମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ସହିତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

ଏହି କନକ୍ଲେଭ୍ ଏବଂ କର୍ମଶାଳା ମାଧ୍ୟମରେ ଏସସି-ଏସଟି ସମୁଦାୟର ଉଦ୍ୟୋଗୀତା ଏବଂ କୌଶଳ ବିକାଶକୁ ପ୍ରୋତ୍ସାହିତ କରାଯିବା ସହ ପିଏମ୍ ବିଶ୍ବକର୍ମା ଯୋଜନା ଅଧୀନରେ ବିଭିନ୍ନ ସୁଯୋଗ ବିଷୟରେ ଚର୍ଚ୍ଚା ହୋଇଛି। ଏହି ଆୟୋଜନ ଜିଲ୍ଲାର ଅର୍ଥନୈତିକ ଏବଂ ସାମାଜିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇ କହିଛନ୍ତି ଯେ, ଏହି ପ୍ରକାର ଆୟୋଜନ ରାଜ୍ୟର ଯୁବସମାଜ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ନୂତନ ଦିଗଦର୍ଶନ ଦେବ। ସେ ଏହି ପଦକ୍ଷେପକୁ ସରକାରଙ୍କ ପ୍ରତିଶ୍ରୁତିର ଏକ ପ୍ରତିଫଳନ ବୋଲି ମତ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଦର୍ଶନୀ, କୌଶଳ ପ୍ରଦର୍ଶନ ଏବଂ ବୃତ୍ତିଗତ ପ୍ରଶିକ୍ଷଣ ସହିତ ଉଦ୍ୟୋଗୀମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରାଯାଇଛି। ଏହା ଓଡିଶାର ଉଦ୍ୟୋଗିକ ଏବଂ ସାମାଜିକ ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।