ନ୍ୟାସନାଲ ହେରାଲ୍ଡ ମାମଲା : ରାହୁଲ ଓ ସୋନିଆ ଗାନ୍ଧୀଙ୍କ ନାମରେ ଚାର୍ଜସିଟ୍ ଦାଖଲ କଲା ଇଡି
ନୂଆଦିଲ୍ଲୀ(ସଂକେତ ଟିଭି): ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନାଁ ଚାର୍ଜସିଟରେ ଉଲ୍ଲେଖ ହୋଇଛି । ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦ୍ୱାରା ଆଜି ରାଉଜ ଏଭିନ୍ୟୁକୋର୍ଟରେ ଦାଖଲ କରାଯାଇଥିବା ଚାର୍ଜସିଟରେ ସାମ ପିଟ୍ରୋଦାଙ୍କ ସହିତ ଏହି ଦୁଇ ନେତାଙ୍କ ନାଁ ରହିଛି । ଏପ୍ରିଲ ୨୫ରେ କୋର୍ଟ ଏହି ଚାର୍ଜସିଟ ଉପରେ ଶୁଣାଣି କରିବେ ।
ଗତକିଛି ସମୟରେ ଇଡି ଏଜେଏଲର ୮୧୦୦ କୋଟି ମୂଲ୍ୟର ସମ୍ପତ୍ତି ଜବତ କରିବା ପରେ ଏହା ଏକ ବଡ କାର୍ଯ୍ୟାନୁଷ୍ଠାନ ଭାବେ ବିବେଚିତ ହେଉଛି । କଂଗ୍ରେସ ପକ୍ଷରୁ ଏହାକୁ ରାଜନୈତିକ ପ୍ରତିଶୋଧ ବୋଲି ଆଖ୍ୟା ଦିଆଯାଇଛି । ଦଳର ବରିଷ୍ଠ ନେତା ଜୟରାମ ରମେଶ ଏହାକୁ ସରକାରର ଏକ ପ୍ରତିଶୋଧମୂଳକ ପଦକ୍ଷେପ ବୋଲି ମତଦେଇଛନ୍ତି । ସୋସିଆଲ ମିଡିଆରେ ଜୟରାମ ରମେଶ ଲେଖିଛନ୍ତି ଯେ ଏହାର ଉଚିତ ଜବାବ ଦିଆଯିବ ।
ଏହି ମାମଲା ୨୦୧୨ରେ ସୁବ୍ରମଣ୍ୟମ ସ୍ୱାମୀଙ୍କ ଦ୍ୱାରା ଟ୍ରାଏଲ କୋର୍ଟରେ ଦାୟର କରାଯାଇଥିଲା । ଏଥିରେ ଆସୋସିଏଟେଡ୍ ଜର୍ଣ୍ଣାଲ ଲିମିଟେଡ୍ (ଏଜେଏଲ)କୁ ବେଆଇନ ଭାବେ ୟଙ୍ଗ ଇଣ୍ଡିଆ ଲିମିଟେଡ୍ ଅଧିଗ୍ରହଣ କରିବା ଏବଂ ୨୦୦୦ କୋଟି ଟଙ୍କାର ସମ୍ପତ୍ତି ହଡପ କରିବାର ଯୋଜନା କରାଯାଇଥିବା ଅଭିଯୋଗ ରହିଛି । ୨୦୨୧ରେ ଇଡି ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିଲା ।
ଏହି ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ ଆୟୋଜନ କରାଯାଇଛି । ଓଡିଶାରେ ଭୁବନେଶ୍ୱର ସହିତ ବିଭିନ୍ନ ଜିଲ୍ଲାରେ ଇଡି କାର୍ଯ୍ୟାଳୟ ଘେରାଉ କରାଯିବ ଏବଂ ଧାରଣା ଦିଆଯିବ । ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଏଥିପାଇଁ ଦଳର ସମସ୍ତ ନେତା ଓ କର୍ମୀଙ୍କୁ ଆହ୍ୱାନ ଜାରି କରିଛନ୍ତି ।
କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ଯେ, ଦେଶରେ ଦୁର୍ନୀତି ବିରୋଧୀ ଆନ୍ଦୋଳନକୁ ଦବାଇବାକୁ ମୋଦୀ ସରକାର ନ୍ୟାସନାଲ ହେରାଲ୍ଡ ମାମଲାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏହି ମାମଲାକୁ ରାଜନୈତିକ ଭାବେ ଉଠାଇ ନିଆଯାଉଛି ବୋଲି କଂଗ୍ରେସ ନେତୃବୃନ୍ଦ ଅଭିଯୋଗ କରିଛନ୍ତି ।