ବିଜେଡି ସଭାପତି ଭାବେ ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର (ସଂକେତ ଟିଭି): ବିଜୁ ଜନତା ଦଳ (ବିଜେଡି)ର ସାଙ୍ଗଠନିକ ନିର୍ବାଚନରେ ଦଳର ସଭାପତି ଭାବେ ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ। ଏହି ନିର୍ବାଚନ ଫଳାଫଳ ଆସନ୍ତା ୧୯ ଅପ୍ରେଲରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ।
ବିଜେଡିର ସାଙ୍ଗଠନିକ ନିର୍ବାଚନ ଅଧିକାରୀ ପ୍ରତାପ ଦେବ କହିଛନ୍ତି ଯେ, ଗୁରୁବାର ଦିନ ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ନାମାଙ୍କନ ସମୟ ରହିଥିଲା। ଏହି ସମୟରେ ନବୀନ ପଟ୍ଟନାୟକ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେଣୁ ତାଙ୍କୁ ସଭାପତି ଭାବେ ଘୋଷଣା କରିବା ଏକ ଔପଚାରିକତା ମାତ୍ର ଅଟେ। ଏହି ନିର୍ବାଚନରେ ନବୀନ ପଟ୍ଟନାୟକ ନବମ ଥର ପାଇଁ ବିଜେଡିର ସଭାପତି ପଦବୀ ପାଇବାରେ ସଫଳ ହେଲେ।
ନିର୍ବାଚନ ପ୍ରକ୍ରିୟା ସୁଚାରୁ ଭାବେ ପରିଚାଳନା ପାଇଁ ବର୍ତ୍ତମାନ ଷ୍ଟେଟ୍ କାଉନସିଲ ଗଠନ କରାଯାଇଛି, ଯାହାର ୩୫୫ ଜଣ ସଦସ୍ୟ ଅଛନ୍ତି। ପ୍ରତାପ ଦେବ କହିଛନ୍ତି ଯେ, ୧୯ ଅପ୍ରେଲରେ ରାଜ୍ୟ କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ ହୋଇ ନବୀନ ପଟ୍ଟନାୟକଙ୍କୁ ସଭାପତି ଭାବେ ଘୋଷଣା କରାଯିବ।