CrimeLatestNews

ଡିଜେ ଗାଡିରେ ବିଦ୍ୟୁତ ସଂଯୋଗ ହୋଇ ୨ ଜଣଙ୍କ ମୃତ୍ୟୁ ଘଟଣାର ଦୁଇ ଅଭିଯୁକ୍ତ ଗିରଫ

ଭଦ୍ରକ (ସଂକେତ ଟିଭି): ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧୀନରେ ଥିବା ହାଟୁଆରୀ ଗାଁରେ ପାଟୁଆ ଶୋଭାଯାତ୍ରା ସମୟରେ ଏକ ଡିଜେ ଗାଡି ଅଘଟଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ତିହିଡି ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫକୃତ ଅଭିଯୁକ୍ତମାନେ ହେଉଛନ୍ତି ରଜତ କୁମାର ମଲ୍ଲିକ ଏବଂ ପାଗଳ ମଲ୍ଲିକ। ଗାଁ ଲୋକଙ୍କ ଆକ୍ରୋଶ ସତ୍ତ୍ୱେ ଉଭୟ ଗାଁକୁ ଡିଜେ ଗାଡି ଆଣିଥିବାର ଅଭିଯୋଗ ହୋଇଛି। ପୋଲିସ ଡିଜେ ଗାଡିର ମାଲିକକୁ ମଧ୍ୟ ଶୀଘ୍ର ଗିରଫ କରିବ ବୋଲି ସୂଚନା ଦେଇଛି।

ଗତ ୧୪ ତାରିଖରେ ହାଟୁଆରୀ ଗାଁରେ ପାଟୁଆ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ହାଟୁଆରୀରୁ କଣ୍ଟିମଙ୍ଗଳା ପୀଠକୁ ଯାଉଥିବା ସମୟରେ ଡିଜେ ଗାଡିଟି ୧୧ କେଭି ତାର ସଂସ୍ପର୍ଶରେ ଆସିଥିଲା, ଯାହାଫଳରେ ଭୟଙ୍କର ଅଘଟଣ ଘଟିଥିଲା। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ଦୁଇ ଜଣ ହେଉଛନ୍ତି ଆରସା ଗାଁର ଶରତ ମହାଳିକ ଏବଂ ମାନସ ମଲ୍ଲିକ। ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ତିହିଡି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଅଘଟଣ ପରେ ରାତିରେ ଜିଲ୍ଲାପାଳ, ଜିଲ୍ଲା ପୋଲିସ ଅଧିକାରୀ (ଏସ୍.ପି.) ଏବଂ ଉପଜିଲ୍ଲାପାଳ ସ୍ଥଳୀ ପରିଦର୍ଶନ କରି ଆହତମାନଙ୍କ ଅବସ୍ଥା ବିଷୟରେ ତଥ୍ୟ ନେଇଥିଲେ। ଏହି ସମୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଭଦ୍ରକ ବିଧାୟକ ସୀତାଂଶୁ ମହାପାତ୍ର ମଧ୍ୟ ଆସି ଆହତଙ୍କୁ ସାନ୍ତ୍ୱନା ଦେଇଥିଲେ। ଜିଲ୍ଲାପାଳ ଓ ଏସ୍.ପି. ଘଟଣାର ସଠିକ୍ ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।