FeaturedLatestNews

ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂତନ ରଙ୍ଗୀନ ରାସନ କାର୍ଡ

ଭୁବନେଶ୍ଵର (ସଂକେତ ଟିଭି): ସରକାର ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ରଙ୍ଗୀନ ରାସନ କାର୍ଡ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି କାର୍ଡଗୁଡ଼ିକ ବିଡିଓ ଏବଂ ମ୍ୟୁନିସିପାଲ୍ କମିଶନରଙ୍କଦ୍ୱାରା ଇସ୍ୟୁ କରାଯିବ। ୨୦ ଏପ୍ରିଲ ସୁଦ୍ଧା ନୂତନ ରାସନ କାର୍ଡ ପ୍ରସ୍ତୁତ କରାଯିବ ଏବଂ ବ୍ଲକ ଓ ୟୁଏଲବି ଅଧିକାରୀମାନେ ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରିବେ। ଯାଞ୍ଚ ପରେ ନୂଆ ସଦସ୍ୟଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇପାରିବ।

ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଇ-କେଓଆଇସି (e-KYC) ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟାରେ ଅଯୋଗ୍ୟଙ୍କୁ ବାଦ ଦିଆଯାଇ ଯୋଗ୍ୟ ଲୋକଙ୍କୁ ରାସନ କାର୍ଡ ପ୍ରଦାନ କରାଯିବ। ନୂତନ ରଙ୍ଗୀନ ରାସନ କାର୍ଡ ପ୍ରଦାନ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଏକ ଖୁସିର ଖବର ଆଣିଛି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ଯେ, ୨୨ ଏପ୍ରିଲ ସୁଦ୍ଧା ନୂତନ ରାସନ କାର୍ଡ ପ୍ରସ୍ତୁତ କରାଯାଇ ଲାମିନେସନ୍ ଓ ପ୍ରିଣ୍ଟିଂ କାର୍ଯ୍ୟ ସମ୍ପାଦନ କରାଯାଏ। ବ୍ଲକ ଓ ୟୁଏଲବି କାର୍ଯ୍ୟାଳୟରେ ଏହି କାର୍ଡଗୁଡ଼ିକୁ ସଂରକ୍ଷିତ ଭାବରେ ରଖାଯିବ ଏବଂ ପରବର୍ତ୍ତୀ ସମୟରେ ସାଂସଦ, ବିଧାୟକ ଓ ଜିଲ୍ଲାପାଳଙ୍କ ମାଧ୍ୟମରେ କାର୍ଯ୍ୟକ୍ରମ ଆୟୋଜନ କରି ହିତାଧିକାରୀଙ୍କୁ ବଣ୍ଟନ କରାଯିବ।

ଏହି ପ୍ରକ୍ରିୟାକୁ ନେଇ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ରାସନ କାର୍ଡ ବଣ୍ଟନ ପ୍ରକ୍ରିୟାରେ ନିରପେକ୍ଷତା ରକ୍ଷା କରାଯାଉ। ଦଳୀୟ ଭିତ୍ତିରେ କାର୍ଡ ବଣ୍ଟା ନଯାଇ ଯୋଗ୍ୟ ଲୋକଙ୍କୁ ହିଁ ଏହା ମିଳିବା ନିଶ୍ଚିତ କରାଯାଉ।” ଅନ୍ୟ ପକ୍ଷରେ କଂଗ୍ରେସ ବିଧାୟକ ତାରା ବାହିନୀପତି ମନ୍ତବ୍ୟ ଦେଇ କହିଛନ୍ତି, “ଏହି ସରକାର କେବଳ ରଙ୍ଗ ବଦଳାଇଛନ୍ତି, କିନ୍ତୁ ବାସ୍ତବରେ ଲୋକଙ୍କ ପାଇଁ କ’ଣ କରିଛନ୍ତି? ସର୍ଭେ ନାମରେ ଯେଉଁମାନେ ସରକାରକୁ ବିରୋଧ କରିଥିଲେ, ସେମାନଙ୍କ କାର୍ଡ କାଟିଦିଆଯାଉଛି।”