FeaturedLatestNewsPolitics

ନବୀନ ପଟ୍ଟନାୟକ ପୁଣି ଥରେ ବିଜେଡି ସଭାପତି ନିର୍ବାଚିତ

ଭୁବନେଶ୍ୱର (ସଂକେତ ଟିଭି): ଜନତା ଦଳ (ବିଜେଡି)ର ନବମ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟନାୟକ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ନବୀନ ନିର୍ବିବାଦରେ ଦଳର ନେତୃତ୍ୱ ଗ୍ରହଣ କରିଛନ୍ତି । ଖଣ୍ଡୁଆପାଟ ଦେଇ ତାଙ୍କୁ ସ୍ୱାଗତ ଜଣାଇଛନ୍ତି ଦଳ କର୍ମୀମାନେ । ସଭାପତି ଭାବେ ତାଙ୍କ ନାମ ଘୋଷଣା ପରେ କର୍ମୀମାନେ ଜଣକ ପରେ ଜଣେ ତାଙ୍କୁ ଭେଟି ସମ୍ବର୍ଦ୍ଧନା ଜଣାଇଛନ୍ତି ।

୨୦୨୪ ରାଜ୍ୟ ସାଧାରଣ ନିର୍ବାଚନରେ ପରାଜୟ ପରେ ବିଜେଡି ଦଳକୁ ପୁନର୍ଗଠନ କରିବାର ପ୍ରୟାସ ଚାଲିଛି । ଏଥିପାଇଁ ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇ ୩୩ ଜିଲ୍ଲାରୁ ୧୮ଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଏହି ତାଲିକାରେ ଅନୁଭବୀ ଏବଂ ବରିଷ୍ଠ ନେତାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ନିର୍ବାଚନ ପରେ ଦଳରେ ଅସ୍ଥିରତା ଦେଖାଦେଇଥିଲେ ମଧ୍ୟ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳକୁ ପୁନର୍ବିନ୍ୟାସ କରାଯିବ ବୋଲି ଆଶା କରାଯାଉଛି ।

ନିଜ ନିର୍ବାଚନ ପରେ ନବୀନ ପଟ୍ଟନାୟକ କହିଛନ୍ତି, “୨୪ ବର୍ଷ ଧରି ଓଡିଶାବାସୀଙ୍କ ସେବା କରିବାର ସୁଯୋଗ ପାଇଛି ବିଜୁ ଜନତା ଦଳ । ଏହି ସମୟରେ ରାଜ୍ୟର ବିକାଶ ଘଟିଛି ଏବଂ ଓଡିଶା ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ରୋଲ ମଡେଲ ହୋଇଛି । ଆମ ଦଳର ସାଂଗଠନିକ ଶକ୍ତିକୁ କେହି ଅବମାନନା କରିବା ଉଚିତ୍ ନୁହେଁ । ସରକାରରେ ଥାଉ ବା ନ ଥାଉ, ଓଡିଶାବାସୀଙ୍କ ସହିତ ଆମେ ସର୍ବଦା ଅଛୁ ଏବଂ ଭବିଷ୍ୟତରେ ମଧ୍ୟ ରହିବୁ ।”

ସେ ଆହୁରି କହିଛନ୍ତି, “ଚାଷୀ, ମହିଳା, ଯୁବ ସମାଜ ସମେତ ସମସ୍ତଙ୍କ ପାଇଁ କାର୍ଯ୍ୟ କରିବା ଆମର ଲକ୍ଷ୍ୟ । ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନ ରକ୍ଷା କରିବା ପାଇଁ ବିଜେଡି ସର୍ବଦା ସଜାଗ ରହିଛି ଏବଂ ରହିବ । ଓଡିଆ ଜାତୀୟତା ଓ ସ୍ୱାଭିମାନ ଆମ ପାଇଁ ସର୍ବୋପରି ।”

ବିଜେଡିର ରାଜ୍ୟ ପରିଷଦ ବୈଠକରେ କିଛି ବରିଷ୍ଠ ନେତା ଯେପରିକି ଶଶି ବେହେରା ଏବଂ ଭୂପିନ୍ଦର ସିଂହ ଉପସ୍ଥିତ ନଥିଲେ । ଏହି ନେଇ ଭୂପିନ୍ଦର ସିଂହ କହିଛନ୍ତି, “ଦଳ ତରଫରୁ କୌଣସି ନିମନ୍ତ୍ରଣ ନଥିବାରୁ ମୁଁ ବୈଠକରେ ଯୋଗ ଦେଇପାରିନି ।” ଏହି ବୈଠକରେ ୩୫୫ ଜଣ ରାଜ୍ୟ ପରିଷଦ ସଦସ୍ୟ ଉପସ୍ଥିତ ଥିଲେ ଏବଂ ୮୧ ଜଣ କାର୍ଯ୍ୟକାରିଣୀ ସଦସ୍ୟ ନିର୍ବାଚିତ ହେବେ ।

ଏବେ ମଧ୍ୟ ବିଜେଡିର ୧୫ଟି ସାଂଗଠନିକ ଜିଲ୍ଲାର ସଭାପତି ଚୟନ ହୋଇପାରିନାହିଁ । ନିର୍ବାଚନ ପରେ ଅନେକ ନୂତନ ନେତା ଦଳରେ ଯୋଗ ଦେଇଥିଲେ ମଧ୍ୟ, ପଦପଦବୀ ନମିଳିନଥିବାରୁ ସେମାନେ ନିଷ୍କ୍ରିୟ ହୋଇଯାଇଛନ୍ତି । ତେଣୁ, ସମସ୍ତ ନେତାଙ୍କୁ ସନ୍ତୁଷ୍ଟ ରଖି ଦଳକୁ ଏକତ୍ର କରିବା ନବୀନ ପଟ୍ଟନାୟକଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ହେବ ।