FeaturedLatestNews

ଅନଲାଇନ ଗେମ୍ ରେ ୬ ଲକ୍ଷ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ବାଲେଶ୍ୱର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇବଣିଆ ଥାନା ଅଧୀନସ୍ଥ ଚମାରଗାଁ ପଞ୍ଚାୟତର ତେଘରୀ ଗ୍ରାମରେ ଅନଲାଇନ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ହରାଇଥିବା ଜଣେ ଯୁବକ ମାନସିକ ଭାବରେ ଆଘାତପ୍ରାପ୍ତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବକଙ୍କ ନାମ ସର୍ବଜିତ ରାୟ (୪୪)। ସେ ପୂର୍ଣ୍ଣଚନ୍ଦ୍ର ରାୟଙ୍କ ପୁଅ। ସର୍ବଜିତଙ୍କ ପତ୍ନୀ ତାଙ୍କଠାରୁ ଅଲଗା ରହୁଥିବା ବେଳେ ସେମାନଙ୍କର ସାତ ବର୍ଷର ଏକ ଝିଅ ମଧ୍ୟ ଅଛି।

ସର୍ବଜିତ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଥିଲେ ଏବଂ ଚେନ୍ନାଇରେ ଚାକିରି କରୁଥିଲେ। ମାତ୍ର ଗତ କିଛି ଦିନ ହେଲା ସେ ଚାକିରି ଛାଡି ଗାଁରେ ଟ୍ୟୁସନ୍ ପଢାଇ ଜୀବିକା ନିର୍ବାହ କରୁଥିଲେ। ଗତ କିଛି ଦିନ ତଳେ ସେ ଜୁପି ଅନଲାଇନ ଗେମ୍ ଖେଳି ପ୍ରଥମେ ୨୦ ହଜାର ଟଙ୍କା ହରାଇଥିଲେ। ପରେ ସେହି ଟଙ୍କା ଫେରିପାଇବାର ଲୋଭରେ ସେ ବାରମ୍ବାର ଖେଳି ପାଖାପାଖି ୬ ଲକ୍ଷ ଟଙ୍କା ହରାଇଛନ୍ତି। ଏହି ଘଟଣା ପରେ ସେ ମାନସିକ ଭାବରେ ଭାଙ୍ଗିପଡିଥିଲେ।

ଆଜି ସକାଳେ ସେ ମାନସିକ ଭାରସାମ୍ୟ ହରାଇ ନିଜ ବେକ ଓ ବାମ ହାତର ଶିରା ଛୁରୀରେ କାଟିଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜଳେଶ୍ୱରର ଜିକେ ଭଟ୍ଟର ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।