ପୁରୀ ଚନ୍ଦନ ଯାତ୍ରାରେ ଏବର୍ଷ ଫୁଟିବ ନାହିଁ ବାଣ
ପୁରୀ (ସଂକେତ ଟିଭି): ଚଳିତ ବର୍ଷ ପୁରୀରେ ଚନ୍ଦନ ଯାତ୍ରା ସମୟରେ ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଛି । ଏଥିସହ ଯାତ୍ରାରେ ଯୋଗଦାନ କରୁଥିବା ଭକ୍ତ ଏବଂ ସେବକଙ୍କ ପାଇଁ ହେଲଥ୍ ଇନ୍ସୁରାନ୍ସର ବ୍ୟବସ୍ଥା କରାଯାଇଛି । ନରେନ୍ଦ୍ର ପୁଷ୍କରିଣୀ ବାହାରେ ଦୁଇଟି ଫାଷ୍ଟଏଡ୍ ସେଣ୍ଟର ରଖାଯିବ । ଗତକାଲି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ସମ୍ପର୍କିତ ନିଷ୍ପତ୍ତି ନିଆଯାଇଥିଲା । ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି ।
ଏବର୍ଷର ଚନ୍ଦନ ଯାତ୍ରା ନୀତି-ନିର୍ଘଣ୍ଟ ମଧ୍ୟ ଚୂଡାନ୍ତ ହୋଇସାରିଛି । ନୀଳାଦ୍ରି ମହୋଦୟ ଉତ୍ସବ, ନୃସିଂହ ଜନ୍ମ ଏବଂ ଶ୍ରୀକ୍ଷେତ୍ରରେ ଭଉଁରୀ ତିଥି ପାଇଁ ସ୍ୱତନ୍ତ୍ର ନୀତି-ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି, ଯାହାକୁ ଛତିଶା ନିଯୋଗ ଅନୁମୋଦନ କରିଛି । ଗତବର୍ଷ ବାହାର ଚନ୍ଦନ ଯାତ୍ରା ସମୟରେ ବାଣ ବିସ୍ଫୋରଣରେ ଘଟିଥିବା ଦୁର୍ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନ ସଜାଗ ହୋଇଛି । ଭକ୍ତ ଏବଂ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଅନ୍ୟତମ ନିଷ୍ପତ୍ତି ଅନୁସାରେ, ଗତ ଶିକ୍ଷାବର୍ଷରେ ସେବକ ପରିବାରର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ୫୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଏଥିସହ ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୩ ଜଣ ଛାତ୍ରଛାତ୍ରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।
ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୩୦ ଅପ୍ରେଲ୍ (ଅକ୍ଷୟ ତୃତୀୟା)ରୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେବ । ଗତବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରୀ ଚନ୍ଦନ ଯାତ୍ରା ଚାଲିଥିବା ସମୟରେ ଏକ ଭୟଙ୍କର ବାଣ ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନେକ ଲୋକ ଆହତ ହୋଇଥିଲେ । ଏହି ଘଟଣାକୁ ଦୃଷ୍ଟିରେ ରଖି ଏବର୍ଷ ଚନ୍ଦନ ଯାତ୍ରା ସମୟରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଆରୋପିତ ହୋଇଛି ।