FeaturedLatestNewsPolitics

ରାଜ୍ୟର ଆଇନଶୃଙ୍ଖଳା ଉପରେ ବିଜେପି ସରକାରକୁ ତୀବ୍ର ଆକ୍ଷେପ କଲା ବିଜେଡି

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିଜୁ ଜନତା ଦଳ (ବିଜେଡି) ବିଧାୟକ ଅରୁଣ ସାହୁ ବିଜେପି ସରକାରଙ୍କୁ ତୀବ୍ର ଆକ୍ଷେପ କରିଛନ୍ତି। ସେ କହିଛନ୍ତି, “ସାରା ରାଜ୍ୟରେ ମର୍ଡର, ମର୍ଡର, ମର୍ଡର! ଗୋଟିଏ ଜାଗାରେ ମୁଣ୍ଡ, ତ ଅନ୍ୟ ଜାଗାରେ ଶରୀର। କେଉଁଠି ଜେସିବି ଲଗାଇ ମାରିଦିଆଯାଉଛି, ତ ଆଉ କେଉଁଠି ଗୁଳି କରି ଲୋକଙ୍କୁ ହତ୍ୟା କରାଯାଉଛି। ମିଡିଆରେ କେବଳ ହତ୍ୟାର ଖବର ଘୂରିବୁଲୁଛି। ଏହା କଣ ଏକ ଡବଲ୍ ଇଞ୍ଜିନ ସରକାରର କାର୍ଯ୍ୟ?”

ଅରୁଣ ସାହୁ ଆହୁରି ମଧ୍ୟ କହିଛନ୍ତି, “ଅପରାଧୀମାନେ ଜାଣିସାରିଲେଣି ଯେ ଏହି ସରକାର ଦୁର୍ବଳ। ଦାନ୍ତହୀନ ଏବଂ ଦୁର୍ବଳ ସରକାରକୁ କେହି ଗଣ୍ଠି କରୁନାହାଁନ୍ତି। ସରକାର ଦୟାକରି ଜନସେବାରେ ଧ୍ୟାନ ଦିଅନ୍ତୁ, ନଚାନ୍ତୁ ନାହିଁ।”

ସେ ରାଜ୍ୟର ବର୍ତ୍ତମାନ ପରିସ୍ଥିତି ଉପରେ ମଧ୍ୟ ଆଲୋକପାତ କରି କହିଛନ୍ତି, “୮୦ ଦାଦନ ଶ୍ରମିକଙ୍କ ଶବ ଆସିଲାଣି, ଶିଶୁ ଚୋରି ହେଉଛି, ମାଆମାନଙ୍କ ମାଥାର ସିନ୍ଦୁର ଲିଭିଯାଉଛି, ଛୁଆମାନେ ବାପାଙ୍କୁ ହରାଉଛନ୍ତି—ଏସବୁକୁ ସରକାର ଗୁରୁତ୍ୱ ଦେଉନାହାଁନ୍ତି। ତେଣୁ ବିଜେଡି ହାତ ଯୋଡ଼ି ନିବେଦନ କରୁଛି ଯେ ସରକାର ନ୍ୟାୟ ଓ ଆଇନଶୃଙ୍ଖଳା ପ୍ରତି ଗମ୍ଭୀର ହୋଅନ୍ତୁ।”

ଏହି ଆକ୍ଷେପର ଜବାବରେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଡ଼ା ଭାଷାରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ଅତୀତରେ ମଧ୍ୟ ଅପରାଧ ହେଉଥିଲା, କିନ୍ତୁ ବିଜେଡି ସରକାର କ୍ଷମତାରୁ ଚ୍ୟୁତ ହେଲା ପରେ ମଧ୍ୟ ଶାସନ କରିବାର ନିଶା ଛାଡ଼ିପାରୁନାହିଁ। ସେମାନେ ଆଇନ୍ ନିଜ ବାଟେ ଯିବ ବୋଲି କହୁଥିଲେ, କିନ୍ତୁ ସେତେବେଳେ ସେମାନଙ୍କ ଭୂମିକା କ’ଣ ଥିଲା?”

ଶ୍ରୀ ହରିଚନ୍ଦନ ଆହୁରି ମଧ୍ୟ କହିଛନ୍ତି, “ଗତ ୧୦ ମାସରେ ଯେତିକି ଅପରାଧ ଘଟିଛି, ସେଗୁଡ଼ିକରେ ୭୨ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୁକ୍ତଙ୍କୁ ଗିରଫ, କୋର୍ଟ ଚାଲାଣ ଏବଂ ଆବଶ୍ୟକ ସ୍ଥଳେ ଏନ୍କାଉଣ୍ଟର ମଧ୍ୟ କରାଯାଇଛି। କୌଣସି ଅପରାଧୀକୁ ୧% ମଧ୍ୟ ସୁରକ୍ଷା ଦିଆଯାଉନାହିଁ। ପୁଲିସକୁ ସଂପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ଏବଂ ଦଣ୍ଡ ବିଧାନରେ ମଧ୍ୟ ପରିବର୍ତ୍ତନ ଆସିଛି। ତେଣୁ ବିରୋଧୀ ଦଳ ଚିନ୍ତିତ ହେବାର କାରଣ ନାହିଁ।”