ସମ୍ବଲପୁରରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ସମ୍ବଲପୁରରେ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ସକାଳ ୮ ଟାରେ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସର ଲୋକଙ୍କଦ୍ୱାରା ପରିପୂର୍ଣ୍ଣ ହୋଇଯାଇଥିଲା। ସମ୍ବଲପୁର ଏବଂ ପଶ୍ଚିମ ଓଡ଼ିଶାର ଲୋକେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମକୁ ନେଇ ଅତ୍ୟନ୍ତ ଉତ୍ସାହିତ ଥିଲେ, କାରଣ ସେମାନଙ୍କ ସମସ୍ୟା ଓ ଅଭିଯୋଗ ଶୁଣିବାକୁ ମୁଖ୍ୟମନ୍ତ୍ରୀ ସ୍ୱୟଂ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୧୦ ଜଣ ମନ୍ତ୍ରୀ, ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ ସଚିବ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହା ଥିଲା ଜନଶୁଣାଣିର ୧୦ମ ପାଳି, ଯାହା ପୂର୍ବର ୯ଟି ପାଳି ଠାରୁ ଭିନ୍ନ ଥିଲା। କାରଣ ଏଥରେ ଲୋକେ ସରକାରଙ୍କ ପାଖକୁ ଯାଇନଥିଲେ, ବରଂ ସରକାର ସେମାନଙ୍କ ପାଖକୁ ଯାଇ ସେମାନଙ୍କ ଅଭିଯୋଗ ଶୁଣିଥିଲେ।
ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ସମ୍ବଲପୁରରେ ପହଞ୍ଚି ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମ୍ବଲପୁରରେ ଆୟୋଜିତ ଏହି ଜନଶୁଣାଣି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଶୁଭଙ୍କର। ଏହା ସରକାର, ଲୋକେ, ଓଡ଼ିଶା ରାଜ୍ୟ ଏବଂ ଗଣତନ୍ତ୍ର ପାଇଁ ଏକ ସକରାତ୍ମକ ବାର୍ତ୍ତା ବହନ କରୁଛି। ସେ ଆହୁରି କହିଥିଲେ ଯେ, ଏହି କ୍ଷେତ୍ରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଦ୍ୱାରା ଅଧିକାରୀମାନେ ସେମାନଙ୍କ ସ୍ତରରେ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ତତ୍ପର ହେବେ।
ପୂର୍ବରୁ ଭୁବନେଶ୍ୱରରେ ଆୟୋଜିତ ୯ଟି ଜନଶୁଣାଣିରେ ୯,୩୭୭ ଜଣଙ୍କ ଅଭିଯୋଗ ଗ୍ରହଣ କରାଯାଇଥିଲା ଏବଂ ୮୮% ଅଭିଯୋଗର ସମାଧାନ ହୋଇସାରିଛି। ବାକି ଅଭିଯୋଗଗୁଡ଼ିକ ସମାଧାନ ପ୍ରକ୍ରିୟାରେ ଅଛି। ଏହି ୧୦ମ ପାଳିରେ ପ୍ରାୟ ୧,୦୦୦ ଜଣ ଅନଲାଇନ ଏବଂ ୪୦୦ ଜଣ ଅଫଲାଇନ ମାଧ୍ୟମରେ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଚିକିତ୍ସା ସହାୟତା ପାଇଁ ୧୮ ଜଣକୁ ୧୯ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।
ଅଭିଯୋଗକାରୀମାନଙ୍କ ମଧ୍ୟରେ ସମ୍ବଲପୁରର ଦୀପ୍ତିରାଣୀ ପାଢ଼ୀ ତାଙ୍କ ପେନ୍ସନ ସମସ୍ୟା ନେଇ ଆସିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ସମସ୍ୟା ଶୁଣି ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି, ବରଗଡ଼ ଜିଲ୍ଲାର ଡୁଙ୍ଗୁରିବାହାଲର କିଛି ବାସିନ୍ଦା ଜଳସେଚନ ସମସ୍ୟା ନେଇ ଆସିଥିଲେ, ଯାହାକୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଜଳସମ୍ପଦ ବିଭାଗକୁ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।