ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ପରଲୋକ: ୮୮ ବର୍ଷ ବୟସରେ ଦେହାନ୍ତ
ନୂଆଦିଲ୍ଲୀ(ସଂକେତ ଟିଭି): ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ ଙ୍କର ସୋମବାର ୮୮ ବର୍ଷ ବୟସରେ ଦେହାନ୍ତ ଘଟିଛି। ତାଙ୍କର ଫୁସଫୁସରେ ନିମୋନିଆ ରୋଗ ଥିବାରୁ ଦୀର୍ଘ ସମୟ ଧରି ସେ ଅସୁସ୍ଥ ଥିଲେ। ଗତ ଫେବୃଆରୀରେ ତାଙ୍କୁ ରୋମର ଜେମେଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ୩୮ ଦିନ ଚିକିତ୍ସା ପରେ ଡିସଚାର୍ଜ କରାଯାଇଥିଲା। ହେଲେ, ସୋମବାର ସକାଳ ୭ଟା ୩୫ ମିନିଟରେ ଭାଟିକାନ ସହରର କାସା ସାଣ୍ଟା ମାର୍ଟା ବାସଭବନରେ ତାଙ୍କର ପରଲୋକ ଘଟିଛି।
ପୋପ୍ ଫ୍ରାନ୍ସିସ୍ ରୋମାନ କ୍ୟାଥୋଲିକ୍ ଚର୍ଚ୍ଚର ପ୍ରଥମ ଲାଟିନ ଆମେରିକୀୟ ପାଦ୍ରୀ ଥିଲେ। ତାଙ୍କ ପ୍ରକୃତ ନାମ ଜର୍ଜ ମାରିଓ ବେର୍ଗୋଲିଓ ଏବଂ ସେ ଆର୍ଜେଣ୍ଟିନାରେ ଜନ୍ମଗ୍ରହଣ କରିଥିଲେ। ୨୦୧୩ ମସିହାରେ ପୋପ୍ ବେନେଡିକ୍ଟ XVIଙ୍କ ଇସ୍ତଫା ପରେ ତାଙ୍କୁ ୨୬୬ତମ ପୋପ୍ ଭାବେ ନିର୍ବାଚିତ କରାଯାଇଥିଲା। ତାଙ୍କ ନେତୃତ୍ୱରେ କ୍ୟାଥୋଲିକ୍ ଚର୍ଚ୍ଚ ଗରିବ, ଅବହେଳିତ ଏବଂ ଶରଣାର୍ଥୀଙ୍କ ସେବା ପ୍ରତି ବିଶେଷ ଧ୍ୟାନ ଦେଇଥିଲା।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୋକ: ପୋପ୍ ଫ୍ରାନ୍ସିସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଏକ ଟ୍ୱିଟ୍ ବାର୍ତ୍ତାରେ ମୋଦି କହିଛନ୍ତି, “ପୋପ୍ ଫ୍ରାନ୍ସିସ୍ ଜଣେ କରୁଣାମୟ, ନମ୍ର ଏବଂ ଆଧ୍ୟାତ୍ମିକ ନେତା ଥିଲେ। ତାଙ୍କର ଦେହାନ୍ତ ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ଭାରତୀୟଙ୍କ ପ୍ରତି ତାଙ୍କର ସ୍ନେହ ଆମକୁ ସର୍ବଦା ଅନୁପ୍ରାଣିତ କରିଥିବ।”
ଇଷ୍ଟର ପର୍ବ ଅବସରରେ ରବିବାର ଦିନ ପୋପ୍ ଫ୍ରାନ୍ସିସ୍ ସେଣ୍ଟ ପିଟର୍ସ ସ୍କୋୟାରରେ ହଜାର ହଜାର ଭକ୍ତଙ୍କୁ ଆଶୀର୍ବାଦ ଦେଇଥିଲେ। ତାଙ୍କର ଅନ୍ତିମ ସମୟ ପର୍ଯ୍ୟନ୍ତ ସେ ଧାର୍ମିକ କାର୍ଯ୍ୟରେ ସକ୍ରିୟ ଥିଲେ। ତାଙ୍କ ଆତ୍ମାର ଶାନ୍ତି ପାଇଁ ବିଶ୍ୱବ୍ୟାପୀ ପ୍ରାର୍ଥନା ଚାଲିଛି।