FeaturedGeneralLatest

ଗୁଜରାଟରେ ବିମାନ ଦୁର୍ଘଟଣା: ଜଣେ ଭାରତୀୟ ଟ୍ରେନି ପାଇଲଟଙ୍କ ମୃତ୍ୟୁ

ଅହମଦାବାଦ (ସଂକେତ ଟିଭି): ଗୁଜରାଟର ଆମ୍ରେଲି ଜିଲ୍ଲାରେ ଏକ ଟ୍ରେନିଂ ବିମାନ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ଭାରତୀୟ ଟ୍ରେନି ପାଇଲଟଙ୍କ ମୃତ୍ୟୁ ହୋଇଛି। ନୂଆଦିଲ୍ଲୀସ୍ଥିତ ଏକ ପ୍ରାଇଭେଟ ଏଭିଏସନ୍ ଏକାଡେମୀର ଏହି ବିମାନଟି ମଙ୍ଗଳବାର ଦିନ ଆମ୍ରେଲିର ଗିରିୟା ରୋଡ୍ ନିକଟସ୍ଥ ଏକ ଆବାସିକ ଅଞ୍ଚଳରେ କ୍ରାସ କରିଥିଲା। ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଥିଲା ଏବଂ ବିମାନଟି ଅଗ୍ନିରେ ପୂର୍ଣ୍ଣ ଭାବେ ପୋଡ଼ିଯାଇଥିଲା। ଅନ୍ୟ କୌଣସି ଆହତର ଖବର ମିଳିନାହିଁ।

ଆମ୍ରେଲିର ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ୍ ସଞ୍ଜୟ ଖରଟ କହିଛନ୍ତି ଯେ, ପାଇଲଟ ଏକାକୀ ବିମାନ ଚଳାଉଥିଲେ ଏବଂ ଦୁର୍ଘଟଣା ପୂର୍ବରୁ ସେ ଆମ୍ରେଲି ଏୟାରପୋର୍ଟରୁ ଉଡ଼ାଣ କରିଥିଲେ। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଅଜ୍ଞାତ ଅଛି।

ଖରଟ କହିଛନ୍ତି, “ବିମାନଟି ପ୍ରଥମେ ଗଛରେ ଧକ୍କା କରି ଏକ ଖାଲି ପଡ଼ିଆରେ ଧ୍ୱଂସ ହୋଇଥିଲା। ଧକ୍କା ପରେ ବିମାନରେ ଅଗ୍ନିକାଣ୍ଡ ଘଟିଥିଲା, କିନ୍ତୁ ସୌଭାଗ୍ୟବଶତଃ ଅନ୍ୟ କେହି ଆହତ ହୋଇନାହାନ୍ତି।”

ସ୍ଥାନୀୟ ଅଗ୍ନିଶମ ଦଳ ଏବଂ ଜରୁରୀ ସେବା ଦଳ ଘଟଣାସ୍ଥଳରେ ତତକ୍ଷଣାତ୍ ପହଞ୍ଚିଥିଲେ। ଫାୟାର୍ ଅଫିସର୍ ଏସ.ସି. ଗାଧଭି କହିଛନ୍ତି ଯେ, ବିମାନଟି ଗଛରେ ଆଘାତ କରି ଖାଲି ଜାଗାରେ ପଡ଼ିବା ଫଳରେ ଅଧିକ କ୍ଷତି କିମ୍ବା ଜୀବନହାନି ହୋଇନାହିଁ।

ପୋଲିସ୍ ଏନେଇ ଏକ ମାମଲା ରୁଜୁ କରି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ଏହି ଏଭିଏସନ୍ ଏକାଡେମୀ ଆମ୍ରେଲି ଏୟାରପୋର୍ଟରୁ ପାଇଲଟ୍ ଟ୍ରେନିଂ ପ୍ରଦାନ କରୁଥିବା ବେଳେ ଟ୍ରେନି ପାଇଲଟ୍ ସାଧାରଣ ଫ୍ଲାଇଟ୍ ଟ୍ରେନିଂ ନେଉଥିବା କୁହାଯାଇଛି।