FeaturedLatestNews

ପିସିଆର ଭ୍ୟାନ୍କୁ ଧକ୍କା ଦେଲା ବାଲି ବୋଝେଇ ହାଇୱା ଟ୍ରକ୍, ୨ ପୋଲିସ କର୍ମଚାରୀଙ୍କ ମୃତ

କଟକ (ସଂକେତ ଟିଭି): ପେଟ୍ରୋଲିଂ କରୁଥିବା ପିସିଆର ଭ୍ୟାନ୍କୁ ଧକ୍କା ଦେଲା ବାଲି ବୋଝେଇ ହାଇୱା ଟ୍ରକ୍ । ଏହି ଘଟଣାରେ ୨ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାଟି ଆଜି ଭୋର ସମୟରେ କଟକ-ପାରାଦ୍ୱୀପ ରାସ୍ତାର ଗତିରାଉତପାଟଣା ନିକଟରେ ଘଟିଥିଲା ।

ଆଜି ମଙ୍ଗଳବାର ଭୋର ସାଢ଼େ ୪ଟା ସମୟରେ କଟକ ସିଆରଆର୍ଆଇ ଥାନାର ଏକ ପିସିଆର ଭ୍ୟାନ୍ ପାଟ୍ରୋଲିଂ କରୁଥିବା ବେଳେ ଏକ ବାଲି ବୋଝେଇ ହାଇୱା ଟ୍ରକ୍ ତାକୁ ଜୋରରେ ଧକ୍କା ମାରିଥିଲା । ଧକ୍କାରେ ପିସିଆର ଭ୍ୟାନ୍ ରାସ୍ତାର କଡ଼କୁ ଓଲଟି ପଡ଼ିଥିଲା ଏବଂ ଗାଡ଼ିଟି ପୁରାପୁରି ଭାଙ୍ଗି ଚୂରମାର୍ ହୋଇଯାଇଥିଲା । ଏହି ଘଟଣାରେ ଥାନାର ଜଣେ ହୋମଗାର୍ଡ ଜଗବନ୍ଧୁ ମାହାଳି ଏବଂ ଜଣେ କନେଷ୍ଟବଳ ଲୋକନାଥ ଶବର ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ଆହତ ପୋଲିସ ଅଧିକାରୀ ପବିତ୍ର ମୋହନ ସେଠୀଙ୍କୁ ଉଦ୍ଧାର କରି ଏସସିବି ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣା ପରେ ପୋଲିସ ହାଇୱା ଡ୍ରାଇଭରକୁ ଅଟକ କରିଛି । କଟକ ଡିଆଇଜି ଋଷିକେଶ ଡି ଖିଲାଙ୍କ ମତରେ, ରାସ୍ତା ସଂକୀର୍ଣ୍ଣ ଥିବା ଏବଂ ହାଇୱା ଡ୍ରାଇଭରଙ୍କ ବେପରୁା ଗାଡ଼ି ଚଳାଇବା ଏହି ଘଟଣାର କାରଣ ହୋଇଥାଇ ପାରେ । ଡ୍ରାଇଭର ମଦ୍ୟପାନ କରିଥିଲେ କି ନାହିଁ ତାହା ତଦନ୍ତ କରାଯାଉଛି । ପ୍ରାଥମିକ ତଦନ୍ତରେ କୌଣସି ଷଡ଼ଯନ୍ତ୍ର ଥିବା ଜଣାପଡ଼ିନାହିଁ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ୱିଟର୍ ଜରିଆରେ ମୃତକଙ୍କ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି ଏବଂ ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ଅର୍ଥ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଆହତ ପୋଲିସ କର୍ମଚାରୀଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ ମଧ୍ୟ କାମନା କରିଛନ୍ତି ।