FeaturedLatestNews

ସୁଭଦ୍ରା ଯୋଜନା: ୨ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ଖାତାକୁ ଗଲା ସୁଭଦ୍ରା ଟଙ୍କା

ପୁରୀ (ସଂକେତ ଟିଭି): ପୁରୀର ତାଳବଣିଆଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ରାଜ୍ୟସ୍ତରୀୟ ସମାରୋହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ୬ ଲକ୍ଷ ରାଶନ କାର୍ଡ ବିତରଣ କରିଛନ୍ତି। ଏଥିସହ ଷଷ୍ଠ ପର୍ଯ୍ୟାୟରେ ସୁଭଦ୍ରା ଯୋଜନା ଅଧୀନରେ ୨ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ୨୦୦ କୋଟି ଟଙ୍କାର ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ମୁଖ୍ୟମନ୍ତ୍ରୀ ମାଝୀ ଜଣାଇଛନ୍ତି ଯେ, ୩୧ ମାର୍ଚ୍ଚ ସୁଦ୍ଧା ଆବେଦନ କରିଥିବା ଯୋଗ୍ୟ ବ୍ୟକ୍ତିମାନେ ଦୁଇଟି କିସ୍ତିରେ ସେମାନଙ୍କର ସହାୟତା ପାଇବେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, “ମହିଳା ସଶକ୍ତ ହେଲେ, ବ୍ୟବସ୍ଥା ସୁଦୃଢ଼ ହେଲେ ଦେଶର ବିକାଶ ହେବ।” ରିପୋର୍ଟ ଅନୁଯାୟୀ, ଗୁରୁବାର ୧ ଲକ୍ଷ ୭୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା ପାଇବେ। କେତେକ ହିତାଧିକାରୀ ପ୍ରଥମ ଏବଂ ଦ୍ୱିତୀୟ କିସ୍ତିର ଦୁଇଟି କିସ୍ତିରେ ସୁଭଦ୍ରା ଯୋଜନା ଟଙ୍କା ପାଇବେ।

ପଞ୍ଚାୟତିରାଜ ଦିବସରେ ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦୁଇଟି କିସ୍ତିରେ ଟଙ୍କା ଜମା କରାଯିବ। ଅର୍ଥାତ୍, ପ୍ରତ୍ୟେକ ହିତାଧିକାରୀ ଥରକେ ୧୦ ହଜାର ଟଙ୍କା ପାଇବେ। ଏହି ବଣ୍ଟନ ପ୍ରକ୍ରିୟାରେ ସୁଭଦ୍ରା ଯୋଜନା ଅଧୀନରେ ପ୍ରାୟ ୨ ଲକ୍ଷ ମହିଳାଙ୍କୁ ଆର୍ଥିକ ସହାୟତା ଦିଆଯିବ, ଯାହା ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ ଏବଂ ଛୋଟ ବ୍ୟବସାୟ କିମ୍ବା ସ୍ୱାବଲମ୍ବୀ କାର୍ଯ୍ୟକ୍ରମ ଆରମ୍ଭ କରିବାରେ ସହାୟକ ହେବ।

ଷଷ୍ଠ ପର୍ଯ୍ୟାୟରେ ଯେଉଁ ମହିଳାମାନେ ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଛନ୍ତି ଏବଂ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନେ ଏହି ଆର୍ଥିକ ସହାୟତା ପାଇବେ। ପ୍ରତ୍ୟେକ ହିତାଧିକାରୀଙ୍କୁ ଏକ ସୁଭଦ୍ରା କାର୍ଡ (ଏଟିଏମ-କମ୍-ଡେବିଟ୍ କାର୍ଡ) ମଧ୍ୟ ପ୍ରଦାନ କରାଯାଉଛି, ଯାହା ସେମାନଙ୍କ ଆର୍ଥିକ କାରବାରକୁ ସହଜ କରିବ।

ସୁଚନା ଅନୁଯାୟୀ, ସୁଭଦ୍ରା ଯୋଜନାରେ ଏଯାବତ୍ ୧ କୋଟି ୬୫ ହଜାର ୮୭୭ ଜଣ ମହିଳା ପ୍ରଥମ କିସ୍ତି ଟଙ୍କା ପାଇସାରିଛନ୍ତି। ସେହିପରି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା ଦ୍ୱିତୀୟ କିସ୍ତି ଟଙ୍କା ପାଇଛନ୍ତି। ଏହି ଯୋଜନା ମାଧ୍ୟମରେ ରାଜ୍ୟର ମହିଳାମାନଙ୍କ ଆର୍ଥିକ ସ୍ଥିତି ସୁଧାରିବା ସହ ସେମାନଙ୍କ ସ୍ୱାବଲମ୍ବନକୁ ଉତ୍ସାହିତ କରାଯାଉଛି।