ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ (Similipal Tiger Reserve) ଜାତୀୟ ଉଦ୍ୟାନ ଭାବରେ ଘୋଷଣା କରିଛନ୍ତି। ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଆଜି ଏହି ସମ୍ପର୍କରେ ଏକ ପ୍ରସ୍ତାବ ଜାରି କରିଛି।
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ୨,୩୦୬.୬୧ ବର୍ଗ କିଲୋମିଟର ଅଞ୍ଚଳରେ ବିସ୍ତୃତ। ଏଥିରୁ ୮୪୫.୭୦ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଘୋଷଣା କରାଯାଇଛି। ଜାତୀୟ ଉଦ୍ୟାନ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ, ଏହା ସମ୍ପୂର୍ଣ୍ଣ ଅକ୍ଷୁର୍ଣ୍ଣ ଏବଂ ମାନବ ବାସସ୍ଥାନ କିମ୍ବା ଗୃହପାଳିତ ପଶୁଙ୍କ ଗତିବିଧିରୁ ମୁକ୍ତ ହେବା ଜରୁରୀ। ଶିମିଳିପାଳର ମୂଳ ଅଞ୍ଚଳ ୧,୧୯୪.୭୫ ବର୍ଗ କିଲୋମିଟର ଅଧିନରେ ୬ଟି ଗ୍ରାମ ଅବସ୍ଥିତ ଥିଲା, ଯାହାକୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସ୍ଥାନାନ୍ତରିତ କରି ୮୪୫.୭୦ ବର୍ଗ କିଲୋମିଟର ଅଞ୍ଚଳକୁ ମାନବ ବାସସ୍ଥାନରୁ ମୁକ୍ତ ଘୋଷଣା କରିଛନ୍ତି।
ଶିମିଳିପାଳ ମେଲାନିଷ୍ଟିକ୍ (କଳା) ବାଘଙ୍କ ପାଇଁ ବିଶ୍ୱବିଖ୍ୟାତ। ଅଲ୍ ଓଡ଼ିଶା ଟାଇଗର ଏଷ୍ଟିମେସନ୍ ୨୦୨୩-୨୪ ଅନୁଯାୟୀ, ଏଠାରେ ୨୭ଟି ବୟସ୍କ ବାଘ (୧୪ଟି ମାଈ ଏବଂ ୧୩ଟି ପୁରୁଷ) ଏବଂ ୮ଟି ଛୁଆ ରହିଛନ୍ତି।
ଏହି ଘୋଷଣା ସହିତ ଶିମିଳିପାଳ ଓଡ଼ିଶାର ଦ୍ୱିତୀୟ ଏବଂ ଭାରତର ୧୦୭ତମ ଜାତୀୟ ଉଦ୍ୟାନ ହେଲା। ଏହାପୂର୍ବରୁ ୧୯୯୮ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଓଡ଼ିଶାର ପ୍ରଥମ ଜାତୀୟ ଉଦ୍ୟାନ ଭାବରେ ଘୋଷିତ ହୋଇଥିଲା।
