ଆତଙ୍କବାଦୀ ଆକ୍ରମଣରେ ନିହତ ପ୍ରଶାନ୍ତଙ୍କ ଶେଷକ୍ରିୟା ସମ୍ପନ୍ନ, ଯୋଗଦେଲେ ମୁଖ୍ୟମନ୍ତ୍ରୀ
ବାଲେଶ୍ୱର (ସଂକେତ ଟିଭି): : ଜମ୍ମୁ-କାଶ୍ମୀରର ପହଲଗାମ୍ ରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କ ଶେଷ କୃତ୍ୟ ଆଜି ସକାଳେ ତାଙ୍କ ପୈତୃକ ଗ୍ରାମ ଇସାଣୀରେ ସମ୍ପନ୍ନ ହୋଇଛି । ମୁଖ୍ଯମନ୍ତ୍ରୀ ମୋହନ ମାଝିଙ୍କ ସମେତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ହଜାର ହଜାର ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ।
ମୃତଦେହ ଆଜି ପ୍ରଭାତରେ ତାଙ୍କ ପୈତୃକ ଗ୍ରାମ ଇସାଣୀ (ରେମୁଣା) ପହଞ୍ଚିବା ସହିତ ଗାଁଟି ଶୋକାକୁଳ ହୋଇପଡିଲା। ମାତା ପ୍ରିୟଦର୍ଶିନୀ ବାରମ୍ବାର ବିହ୍ୱଳ ହେବା ପରେ ୯ ବର୍ଷ ବୟସର ତନୁଜ ପିତାଙ୍କ ଚିତାଗ୍ନି ଜଳାଇଥିଲା। ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚି ତାଙ୍କ ପାର୍ଥିବ ଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ପରିବାର ସଦସ୍ୟମାନଙ୍କ ସହିତ ୨୦ ମିନିଟ୍ ସମୟ ଅତିବାହିତ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଶ୍ମଶାନକୁ ମଧ୍ୟ ଶେଷ ଦର୍ଶନ କରିଥିଲେ। ଏହି ଅବସରରେ
ମୁଖ୍ୟମନ୍ତ୍ରୀ ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା, ପତ୍ନୀଙ୍କୁ ଚାକିରି ଏବଂ ପୁତ୍ର ତନୁଜଙ୍କ ଶିକ୍ଷାର ଦାୟିତ୍ୱ ନେବାକୁ ଘୋଷଣା କରିଛନ୍ତି।
ପରଲୋକଗତ ଆତ୍ମାର ସଦ୍ଗତି କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତାଙ୍କ ପରିବାରର ଦୁଃଖ ଦେଖି ‘ମୁଁ ଗଭୀର ମର୍ମାହତ’। ପ୍ରଶାନ୍ତଙ୍କ ପରିବାର ପାଇଁ ସହାୟତା ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱର୍ଗତ ପ୍ରଶାନ୍ତଙ୍କ ନିକଟତମ ଆତ୍ମୀୟଙ୍କୁ ୨୦ ଲକ୍ଷ ଟଙ୍କା ସହାୟତା, ପତ୍ନୀଙ୍କ ପାଇଁ ନିଯୁକ୍ତି ଦିଆଯିବା ସହିତ ତାଙ୍କ ପୁଅର ପାଠପଢା ପାଇଁ ଆବଶ୍ୟକ ବ୍ୟବସ୍ଥା ରାଜ୍ୟ ସରକାର କରିବେ ।
ଏହି ଆତଙ୍କବାଦୀ ଘଟଣାର ତୀବ୍ରନିନ୍ଦା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉଗ୍ରପନ୍ଥୀ ମାନଙ୍କ କାର୍ଯ୍ୟ ଅତ୍ୟନ୍ତ ଅମାନବୀୟ ଓ କାପୁରୁଷୋଚିତ। ମୋଦୀଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏହା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।