FeaturedNews

ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଲିଫ୍ଟ ରେ ଚାପି ହୋଇ ୫୫ ବର୍ଷୀୟା ରୋଗୀଙ୍କ ମୃତ୍ୟୁ

ଭଦ୍ରକ (ସଂକେତ ଟିଭି): ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଲିଫ୍ଟ ଦୁର୍ଘଟଣାରେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବାରୁ ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ଘଟଣାଟି ଗତକାଲି ସକାଳେ ଘଟିଥିଲା, ଯେଉଁଥିରେ ରାନ୍ଦିଆ ନରସିଂହପୁର ନିବାସୀ ୫୫ ବର୍ଷୀୟା ମୀନତି ପରିଡ଼ା ଲିଫ୍ଟ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି।

ମୀନତି ଅଣନିଶ୍ୱାସୀ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଚିକିତ୍ସାଳୟକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ମେଡିସିନ ୱାର୍ଡକୁ ନିଆଯାଉଥିବା ବେଳେ ଲିଫ୍ଟ ହଠାତ୍ ଉପରକୁ ଉଠିଯାଇ ଷ୍ଟ୍ରେଚର ସହିତ ଚାପି ହୋଇଥିଲା। ଏହି ଘଟଣାରେ ତାଙ୍କ ବୋହୁ ଓ ନାତି ସାମାନ୍ୟ ଆଘାତପ୍ରାପ୍ତ ହୋଇଥିଲେ।

ଘଟଣା ପରେ ଚିକିତ୍ସାଳୟ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ରୋଗୀଙ୍କ ପରିବାର ଲୋକେ ଲିଫ୍ଟ ଅପରେଟର ଓ ଡାକ୍ତରଖାନା ପ୍ରଶାସନ ଉପରେ ଗୁରୁତର ଅବହେଳାର ଅଭିଯୋଗ କରିଛନ୍ତି। ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ପାଞ୍ଚ ଘଣ୍ଟା ପରେ ମୃତଦେହ ଉଦ୍ଧାର କରିଥିଲେ।

ଘଟଣାକୁ ନେଇ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ଓ ବିଜେଡି ନେତା ପ୍ରଫୁଲ୍ଲ ସାମଲ ଚିକିତ୍ସାଳୟ ପରିଦର୍ଶନ କରି ପ୍ରଶାସନିକ ଅବହେଲାକୁ ଦାୟୀ କରିଛନ୍ତି। ସେମାନେ ଲିଫ୍ଟ ଅପରେଟର ଓ ଚିକିତ୍ସାଳୟ କର୍ମଚାରୀଙ୍କ ଅନୁପସ୍ଥିତିକୁ ଗୁରୁତର ଅପରାଧ ବୋଲି କହିଛନ୍ତି।

ଜିଲ୍ଲାପାଳ ଦିଲୀପ ରାଉତରାୟ ଏକ ତଦନ୍ତ କମିଟି ଗଠନ କରିବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୃତ ରୋଗୀଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇବାକୁ ମଧ୍ୟ ଘୋଷଣା କରାଯାଇଛି।